ଇସଲାମାବାଦ : ୧୯୯୯ରେ ବିନା ରକ୍ତପାତରେ ପାକିସ୍ତାନର ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କରି ନିଜେ ରାଷ୍ଟ୍ରପତି ହୋଇଥିବା ଜେନେରାଲ ପରଭେଜ ମୁସାରଫ ପାକିସ୍ତାନକୁ ପ୍ରାୟ ଏକ ଦଶନ୍ଧି ଧରି ଶାସନ କରିଥିଲେ। ତାଙ୍କ ସମୟରେ ଦେଶରେ କିଛି ଆର୍ଥିକ ଅଭିବୃଦ୍ଧି ଘଟିଥିଲା ଏବଂ ରକ୍ଷଣଶୀଳ ମୁସଲିମ ଦେଶରେ ସେ ସାମାଜିକ ଉଦାରବାଦୀ ମୂଲ୍ୟବୋଧ ଉପରେ କିଛି ପ୍ରଭାବ ପକାଇଥିଲେ। ସେ ଦୀର୍ଘଦିନ ଧରି ଲୋକଙ୍କ ଦୃଢ଼ ସମର୍ଥନ ବି ପାଇଥିଲେ। କିନ୍ତୁ ତାଙ୍କର ପରମ ଶତ୍ରୁ ଅଲକାଏଦା ଓ ଅନ୍ୟ ଉଗ୍ରବାଦୀ ଗୋଷ୍ଠୀ ତାଙ୍କୁ ତିନିଥର ହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।
ଅସନ୍ତୁଷ୍ଟ ଗୋଷ୍ଠୀକୁ ଦମନ କରିବା ପାଇଁ ସେ ସେନାର ଅପବ୍ୟବହାର କରିବା ଏବଂ ଅଲ୍ କାଏଦା ଓ ଆଫଗାନ ତାଲିବାନଙ୍କ ସହ ଲଢ଼ିବା ପାଇଁ ଆମେରିକାର ସାହାଯ୍ୟ ନେବା ହିଁ ପରେ ତାଙ୍କ ପତନର କାରଣ ହୋଇଥିଲା। ମୁସାରଫଙ୍କର କେତେକ ସଂସ୍କାରବାଦୀ କାର୍ଯ୍ୟକ୍ରମ ଯଥା ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଆଇନ ପ୍ରଣୟନ, ପ୍ରଥମ ଥର ପାଇଁ ଦେଶରେ ଘରୋଇ ଚାନେଲଗୁଡ଼ିକୁ ଅନୁମତି ଦେବା ଇତ୍ୟାଦି ପାଇଁ ସେ ଆମେରିକା ସମେତ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ପାଇଥିଲେ। ସେ ସିଗାରେଟ୍ ଓ ହ୍ବିସ୍କିକୁ ଭଲପାଇବା ଏବଂ ମୁସଲମାନମାନଙ୍କୁ ଆଧୁନିକ ଜୀବନଶୈଳୀ ଆପଣେଇବାକୁ ପରାମର୍ଶ ଦେବା ଫଳରେ ବିଶେଷତଃ ସେପ୍ଟେମ୍ବର ୧୧, ୨୦୦୧ ଆକ୍ରମଣ ପରେ ପାଶ୍ଚାତ୍ୟରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଲା। ସେ ଆମେରିକାର ଜଣେ ପ୍ରମୁଖ ସହଯୋଗୀ ହୋଇଉଠିଲେ। ପାକିସ୍ତାନ ମାଟିରେ ଆମେରିକାର ଡ୍ରୋନ୍ ଅପରେସନ ପାଇଁ ସେ ଅନୁମତି ଦେଲେ। ଫଳରେ ଆଫଗାନ ସୀମାରେ ଉଗ୍ରବାଦକୁ ଦମନ କରିହେଲା। ସ୍ଥାନୀୟ ଉଗ୍ରବାଦୀ ଗୋଷ୍ଠୀ ବିରୋଧରେ ମଧ୍ୟ ଆକ୍ରମଣକୁ ସେ ଅନୁମତି ଦେଇଥିଲେ। ୨୦୦୬ରେ ଏକ ଆତ୍ମକଥାରେ ମୁସାରଫ ଦାବି କରିଛନ୍ତି ଯେ ଆମେରିକା କ୍ରୋଧରୁ ସେ ପାକିସ୍ତାନକୁ ବଞ୍ଚାଇଛନ୍ତି। ସେ ଆମେରିକା ସହ ବନ୍ଧୁତା କରି ନ ଥିଲେ ଆମେରିକା ବୋମା ମାଡ଼ କରି ପାକିସ୍ତାନକୁ ପୁରାତନ ପ୍ରସ୍ତର ଯୁଗରେ ପହଞ୍ଚାଇଦେବାକୁ ପ୍ରସ୍ତୁତ ଥିଲା ବୋଲି ସେ ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କୁ ମନାଇ ସେ ପାକିସ୍ତାନ ସେନା ପାଇଁ ବିପୁଳ ପାଣ୍ଠି ଯୋଗାଡ଼ କରିପାରିଥିଲେ ବୋଲି କହିଛନ୍ତି। ତଥାପି ତାଙ୍କ ସେନାରେ ଦୋମୁହାଁ ନୀତି ପରିଲକ୍ଷିତ ହୋଇଛି। ଆମେରିକାର ମିତ୍ର ବୋଲି କହୁଥିବା ବେଳେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଫଗାନିସ୍ତାନର ତାଲିବାନ ଓ ଅଲ୍କାଏଦା ସହ ମଧ୍ୟ ହାତ ମିଳାଇଥିଲା।
ଭାରତ ବିରୋଧରେ ସାମରିକ ଅଭିଯାନ ଚଳାଇବାର ପ୍ରାୟ ତିନିବର୍ଷ ପରେ ୨୦୦୨ରେ ସାର୍କ ସମ୍ମିଳନୀରେ ମୁସାରଫ ଭାଷଣ ଦେଉଥିଲେ। ଭାଷଣ ସରିବା ସଙ୍ଗେ ସଙ୍ଗେ ସେ ବୁଲିପଡ଼ି ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଆଡ଼କୁ କରମର୍ଦ୍ଦନ ପାଇଁ ହାତବଢ଼ାଇ ଶାନ୍ତି କଥାବାର୍ତ୍ତା ଲାଗି ପ୍ରସ୍ତାବ ଦେବା ସହ ବିଶ୍ବବାସୀଙ୍କୁ ଚକିତ କରିଦେଇଥିଲେ।
ଅନେକ ବିଶ୍ଳେଷକଙ୍କ ମତରେ କାଶ୍ମୀର ବିବାଦ ମୁସାରଫଙ୍କ ଅମଳରେ ସମାଧାନ ହେବା ଅବସ୍ଥାକୁ ଆସିଯାଇଥିଲା। କିନ୍ତୁ ମୁସାରଫ୍ଙ୍କ ଅଚାନକ ବିଶ୍ବାସଘାତୀ କାର୍ଯ୍ୟ ସବୁକିଛି ଓଲଟପାଲଟ କରିଦେଲା।
ବିଶ୍ବବ୍ୟାଙ୍କ ତଥ୍ୟ ଅନୁସାରେ ମୁସାରଫଙ୍କ ସମୟରେ ପାକିସ୍ତାନକୁ ପୁଞ୍ଜିନିବେଶ ପରିମାଣ ବୃଦ୍ଧି ପାଇଥିଲା ଏବଂ ସେ ଦେଶରେ ଜିଡିପିରେ ଅଭିବୃଦ୍ଧି ୭.୫ ପ୍ରତିଶତ ଛୁଇଁଥିଲା, ଯାହା ପ୍ରାୟ ତିନି ଦଶନ୍ଧି ଭିତରେ ସର୍ବାଧିକ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଏକଚ୍ଛତ୍ରବାଦୀ ଶାସନର ବିଷମୟ ପରିଣାମ ଦେଖିବାକୁ ମିଳିଲା। ୨୦୦୬ରେ ବେଲୁଚିସ୍ତାନର ଜଣେ ଆଦିବାସୀ ନେତାଙ୍କୁ ହତ୍ୟା କରିବାକୁ ସେ ସେନାକୁ ଆଦେଶ ଦେଲେ, ଯାହାଫଳରେ ସେଠାରେ ଏକ ଉଗ୍ରବାଦର ମୂଳଦୁଆ ପଡ଼ିଲା। ତା’ପର ବର୍ଷ ଦେଶରେ ସାରିଆ ଆଇନ ଲାଗୁ କରିବାକୁ ଦାବି କରି ଶହ ଶହ ଛାତ୍ର ଆନ୍ଦୋଳନ କଲେ। ମୁସାରଫ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ମନା କରିଦେବା ସହ ଏକ ମସଜିଦକୁ ଉଡ଼ାଇ ଦେବାକୁ ସେନାକୁ ଆଦେଶ ଦେଲେ। ଫଳରେ ସେହି ମସଜିଦରେ ଥିବା ଉକ୍ତ ଛାତ୍ରମାନଙ୍କର ମୃତ୍ୟୁ ଘଟିଲା। ଏହାଦ୍ବାରା ଏକ ନୂଆ ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଏ-ତାଲିବାନ ପାକିସ୍ତାନର ଜନ୍ମ ହେଲା। ଏହି ଆତଙ୍କବାଦୀ ଗୋଷ୍ଠୀ ପାକିସ୍ତାନରେ ଅଦ୍ୟାବଧି ଅନେକ ଆତ୍ମଘାତୀ ଆକ୍ରମଣ ଘଟାଇ ହଜାର ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟାରେ ତାଙ୍କର ହାତ ଅଛି ବୋଲି ମଧ୍ୟ ଅଭିଯୋଗ ହୁଏ। ୨୦୦୭ରେ ଦେଶରେ ଜରୁରୀ ପରିସ୍ଥିତି ଲଦିଦେବା ପାଇଁ ତାଙ୍କ ବିରୋଧରେ ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ଯାହାକୁ ପରେ ଲାହୋର ହାଇକୋର୍ଟ ରଦ୍ଦ କରିଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/musha.jpg)