ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିଂବଦନ୍ତି ପଣ୍ଡିତ ଯଶରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିଂବଦନ୍ତି ପଣ୍ଡିତ ଯଶରାଜଙ୍କର ୯୦ ବର୍ଷ ବୟସରେ ଆଜି ଯୁକ୍ତରାଷ୍ଟ୍ର ଆମେରିକା ନିଉ ଜର୍ସିରେ ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ଝିଅ ଦୁର୍ଗା ଯଶରାଜ ଘୋଷଣା କରିଛନ୍ତି। ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ଏ ବର୍ଷ ଜାନୁଆରି ମାସରେ ସେ ୯୦ ବର୍ଷରେ ପଦାର୍ପଣ କରିଥିଲେ।

ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ଅନ୍ୟତମ ପ୍ରସିଦ୍ଧ ସଂଗୀତଜ୍ଞ ପଣ୍ଡିତ ଯଶରାଜ ସ୍ବକୀୟ ପ୍ରତିଭା ଲାଗି ଦେଶବିଦେଶରେ ପରିଚିତ ଥିଲେ।  ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ପଣ୍ଡିତ ଯଶରାଜ ଥିଲେ ମେୱାତି ଘରାନାର ଜଣେ ଧୁରୀଣ ଗାୟକ । ଦୀର୍ଘ ୮୦ ବର୍ଷରୁ ଅଧିକ ସଙ୍ଗୀତ କ୍ୟାରିୟର୍ ମଧ୍ୟରେ ସେ ଅଗଣିତ ସମ୍ମାନଜନକ ପୁରସ୍କାର ପାଇଥିଲେ। ଉଭୟ ଶାସ୍ତ୍ରୀୟ ଓ ଉପଶାସ୍ତ୍ରୀୟ ଗାୟନରେ ପଣ୍ଡିତ ଯଶରାଜ ଥିଲେ ଅପ୍ରତିନ୍ଦ୍ବନ୍ଦ୍ବୀ।

ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି, ପଣ୍ଡିତ ଯଶରାଜଙ୍କ ଦୁଃଖଦ ବିୟୋଗ ଭାରତୀୟ ସାଂସ୍କୃତିକ ମଣ୍ଡଳରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟିକଲା। ତାଙ୍କର ଗାୟନ ଯେ ଖାଲି ଚମତ୍କାର ଥିଲା, ତାହା ନୁହେଁ, ଅନ୍ୟ କେତେଜଣ ଶସ୍ତ୍ରୀୟଶିଳ୍ପୀଙ୍କର ମଧ୍ୟ ସେ ଥିଲେ ଜଣେ ଅସାଧାରଣ ଗୁରୁ। ତାଙ୍କ ପରିବାର ଓ ବିଶ୍ବବ୍ୟାପୀ ତାଙ୍କର ପ୍ରଶଂସକଙ୍କୁ ମୋର ସମବେଦନା। ଓଁ ଶାନ୍ତି।

ପଣ୍ଡିତ ଯଶରାଜ ୧୯୩୦ ମସିହା ଜାନୁୟାରୀ ୨୮ରେ ହରିୟାଣାର ହିସାର ଜିଲ୍ଲାର ପିଲି ମାଣ୍ଡୋରିରେ ଜନ୍ମଗ୍ରହଣ କରିଥିଲେ। ଏକ  ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ବାପା ଥିଲେ ଶାସ୍ତ୍ରୀୟ ଗାୟକ ପଣ୍ଡିତ ମୋତିରାମ। ୧୯୩୪ ମସିହାରେ ମୋତିରାମଙ୍କର ପରଲୋକ ହୋଇଥିଲା। ଫଳରେ ମାତ୍ର  ଚାରି ବର୍ଷ ବୟସରେ ଯଶରାଜ ନବାବ୍ ମୀର ଓସମାନ ଅଲି ଖାନଙ୍କ  ଦରବାରୀ ଗାୟକ  ଭାବରେ ନିଯୁକ୍ତ ହୋଇଥିଲେ। ଯଶରାଜଙ୍କ ବଡ ଭାଇ ପଣ୍ଡିତ ପ୍ରତାପ ନାରାୟଣ ମଧ୍ୟ ଜଣେ ଦକ୍ଷ ସଂଗୀତଜ୍ଞ ଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଯୋଡି ଯତିନ୍-ଲଲିତ, ଗାୟକ-ଅଭିନେତ୍ରୀ ସୁଲକ୍ଷନା ପଣ୍ଡିତ ଏବଂ ଅଭିନେତ୍ରୀ ବିଜୟ ପଣ୍ଡିତଙ୍କ ପିତା ଥିଲେ।

Image Courtesy of Hindustan Times

ଯଶରାଜଙ୍କ ଯୁବାବସ୍ଥା ହାଇଦ୍ରାବାଦ କଟିଥିଲା। ଏହି ସମୟରେ ସେ ଗୁଜୁରାଟର ସାନନ୍ଦକୁ ଯାଇ ମେୱତି ଘାରନାର ସଂଗୀତଜ୍ଞମାନଙ୍କଠାରୁ  ସଙ୍ଗୀତ ଅଧ୍ୟୟନ କରିଥିଲେ। ଏହାପରେ ୧୯୪୬ ମସିହାରେ ଯଶରାଜ କଲିକତା ଯାଇଥିଲେ ଏବଂ ସେଠାରେ ସେ ରେଡିଓରେ ଶାସ୍ତ୍ରୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଏହାପରେ ସେ ନିଜକୁ ଜଣେ ଆଗଧାଡ଼ିର ଶାସ୍ତ୍ରୀୟ ସଂଗୀତଜ୍ଞ ଭାବେ ପ୍ରତିପାଦିତ କରିଥିଲେ।

୧୯୬୨ ମସିହାରେ ଜଶରାଜ ବିଶିଷ୍ଟ  ଚଳଚ୍ଚିତ୍ର ନିର୍ଦ୍ଦେଶକ ଭି.ଶାନ୍ତାରାମଙ୍କ  ଝିଅ ମଧୁରା ଶାନ୍ତାରାମଙ୍କୁ ବିବାହ କରିଥିଲେ।  ମଧୁରାଙ୍କୁ ସେ ପ୍ରଥମେ ୧୯୬୦ରେ ବମ୍ବେରେ ଭେଟିଥିଲେ। ଦୁଇ ସନ୍ତାନର ଜନକ ଥିଲେ ସେ-  ପୁଅ ଶାରଙ୍ଗ ଦେବ ପଣ୍ଡିତ ଏବଂ ଗୋଟିଏ ଝିଅ ଦୁର୍ଗା ଜଶରାଜ । ଯଶରାଜଙ୍କ ପତ୍ନୀ ମାଧୁରା ୨୦୦୯ରେ‘ ସଂଗୀତ ମାର୍ତ୍ତଣ୍ଡ ପଣ୍ଡିତ ଜଶରାଜ’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ତାଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର ‘ଆୟାଇ ତୁଜା ଆଶିରୱାଡ’ର ନିର୍ଦ୍ଦେଶନା ଦେଇଥିଲେ।  ଏଥିରେ ତାଙ୍କ ସ୍ୱାମୀ ପଣ୍ଡିତ ଯଶରାଜ୍ ଏବଂ ଲତା ମଙ୍ଗେସକର ମରାଠୀରେ ଗୀତ ଗାଇଥିଲେ।

ସମ୍ବନ୍ଧିତ ଖବର