ନୂଆଦିଲ୍ଲୀ: ୬% କର୍ମଚାରୀଙ୍କୁ ଛଟେଇ କରିବ ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନି ସ୍ପୋଟିଫାଏ। କମ୍ପାନି ସୋମବାର ଏହି ସୂଚନା ଦେଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ମାନ୍ଦାବସ୍ଥା ହେତୁ କମ୍ପାନି ଏହି ନିଷ୍ପତ୍ତି ନେଇଛି। କରୋନା ପରେ ମାନ୍ଦାବସ୍ଥା ବଢ଼ୁଥିବା ଦେଖି ଅନେକ ବଡ଼ ବଡ଼ କମ୍ପାନି ନିଜ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଏବେ ଏଥିରେ ସାମିଲ ହୋଇଛି ସ୍ପଟିଫାଏ।
ଏହାପୂର୍ବରୁ ପ୍ରମୁଖ ସଫ୍ଟୱେର୍ କମ୍ପାନି ମାଇକ୍ରୋସଫ୍ଟ ବ୍ୟତୀତ ଗୁଗୁଲ୍ ଏବଂ ଖାଦ୍ୟ ବିତରଣ କମ୍ପାନି ଜୋମାଟୋ ମଧ୍ୟ ନିଜ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିଲା। ମାଇକ୍ରୋସଫ୍ଟ ନିଜର ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଥିବା ବେଳେ ମାନ୍ଦାବସ୍ଥା ଏହାର ପ୍ରମୁଖ କାରଣ ବୋଲି କହିଛି। କମ୍ପାନି ତରଫରୁ ବୁଧବାର କୁହାଯାଇଛି ଯେ ୨୦୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଶେଷ ସୁଦ୍ଧା ୧୦,୦୦୦କର୍ମଚାରୀଙ୍କୁ ଚାକିରିରୁ ହଟାଇବ।
ଏହା ସହ ଗୁଗୁଲ୍ ଚଳାଉଥିବା ଆମେରିକୀୟ କମ୍ପାନି ଆଲଫାବେଟ୍ ମଧ୍ୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି। ଏହା ଦ୍ବାରା ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟ ଟିମ ପ୍ରଭାବିତ ହେବେ। କମ୍ପାନି କହିଛି ଯେ ଏହି ଛଟେଇ ବିଶ୍ୱ ସ୍ତରରେ କରାଯାଉଛି ଏବଂ ଆମେରିକାର କର୍ମଚାରୀଙ୍କଠାରୁ ଏହା ଆରମ୍ଭ ହେବ।