ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଗୁପ୍ତ ଭାବେ ଟେକ୍ସାସ୍ରେ ୧୪,୪୦୦ ବର୍ଗଫୁଟର ଏକ ସମ୍ପତ୍ତି କିଣିଛନ୍ତି। ଏହାର ମୂଲ୍ୟ ୨୯୬ କୋଟି । ନିଜର ସମସ୍ତ ୧୧ ସନ୍ତାନ ଏବଂ ସେମାନଙ୍କ ମା’ ତଥା ମସ୍କଙ୍କ ପୂର୍ବତନ ବାନ୍ଧବୀମାନେ ଏହି ଘରେ ରହିବେ। ଏଠାରେ ଏକ ଇଟାଲିଆନ ତୁସ୍କାନ୍ ଭିଲ୍ଲା ଅଛି ଏବଂ ଏହା ପଛକୁ ୬ ବେଡରୁମ୍ ବିଶିଷ୍ଟ ଏକ ଘର ଅଛି।
ମସ୍କ ଏହି କାରବାରକୁ ଗୋପନ ରଖିବାପାଇଁ ଏହାର ବିକ୍ରେତାମାନଙ୍କୁ ଏକ ଚୁକ୍ତିରେ ସ୍ବାକ୍ଷର କରିବାପାଇଁ କହିଛନ୍ତି। କିଛି ଘର ମାଲିକଙ୍କୁ ସେ ସେମାନଙ୍କ ଘରର ମୂଲ୍ୟଠାରୁ ୨୦ରୁ ୭୦ ପ୍ରତିଶତ ଅଧିକ ମୂଲ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଏଲନ୍ ମସ୍କଙ୍କର ତାଙ୍କ ପ୍ରଥମ ପତ୍ନୀ ଜଷ୍ଟିନ ୱିଲସନ୍ଙ୍କ ସହ ୫ଟି ସନ୍ତାନ ଅଛି। ସିଙ୍ଗର ଗ୍ରାଇମ୍ସଙ୍କ ସହ ତାଙ୍କର ୩ଟି ସନ୍ତାନ ଅଛି। କିନ୍ତୁ ମସ୍କ ଏବଂ ଗ୍ରାଇମ୍ସ ୩ ଶିଶୁ କାହା ଦାୟିତ୍ବରେ ରହିବେ ସେନେଇ ନ୍ୟାୟିକ ଲଢ଼େଇ ଜାରି ରଖିଛନ୍ତି। ସେହିପରି ଶିଭନ୍ ଜିଲିସଙ୍କ ସହ ମସ୍କଙ୍କର ୩ଟି ସନ୍ତାନ ଅଛି।