ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗତ ସପ୍ତାହରେ କରିଥିବା ଏକ୍ସ ପୋଷ୍ଟକୁ ନେଇ ଟେସ୍ଲା ସିଇଓ ଏଲନ୍ ମସ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ମୋର କିଛି ପୋଷ୍ଟକୁ ନେଇ ମୁଁ ଦୁଃଖିତ। ଏହାକୁ ନେଇ କଥା ବହୁତ ଦୂରକୁ ଚାଲିଗଲା ବୋଲି ମସ୍କ ଏକ୍ସରେ ଲେଖିଛନ୍ତି।
ଏହା ପୂର୍ବରୁ ଟ୍ରମ୍ପ ମସ୍କଙ୍କ ପାଇଁ ‘ଗମ୍ଭୀର ପରିଣାମ’ ବିଷୟରେ ଚେତାବନୀ ଦେଇଥିଲେ - କିନ୍ତୁ ଏହା ଆଗାମୀ ସମୟରେ ଟ୍ରମ୍ପ ସମର୍ଥିତ ରିପବ୍ଲିକାନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କୁ ସମର୍ଥନ କରିବାକୁ ମସ୍କ ଯୋଜନା କରୁଥିବା ଖବରର ପ୍ରତିକ୍ରିୟାରେ ହୋଇଥିଲା। ଯଦି ସେ ଏପରି କରନ୍ତି, ତେବେ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପଙ୍କ ‘ଵାନ୍ ବିଗ୍ ବିଉଟିଫୁଲ୍ ବିଲ୍’ (ଓବିବିବି)କୁ ମସ୍କ ସର୍ବସାଧାରଣରେ ସମାଲୋଚନା କରିବା ପରେ ଡୋନାଲ୍ଡ ଟ୍ରମ୍ପ ଓ ଏଲନ୍ ମସ୍କଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ବ୍ୟାପକ ଟିକସ ହ୍ରାସ ପ୍ରସ୍ତାବ ଥିବା ଏହି ବିଲ୍ ଆମେରିକାର ଜାତୀୟ ଋଣରେ ପ୍ରାୟ ୩ ଟ୍ରିଲିୟନ ଡଲାର ଯୋଡ଼ିବ ବୋଲି ସେ କହିଥିଲେ। ଏହାପରେ ଦୁଇ ବିଶ୍ୱ ପାୱାର୍ହାଉସ୍ ମଧ୍ୟରେ ବିବାଦ ଦେଖାଦେଇଥିଲା। ମସ୍କ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ପରାମର୍ଶଦାତା ପଦରୁ ଇସ୍ତଫା ଦେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ସେ ଓବିବିବିକୁ ଏକ ଘୃଣ୍ୟ କାର୍ଯ୍ୟ ବୋଲି ସମାଲୋଚନା କରିଥିଲେ, ଯାହା ଆମେରିକାର ନାଗରିକମାନଙ୍କ ଉପରେ ଋଣ ବୋଝ ପକାଇବ। ଏହାର ଜବାବରେ ଟ୍ରମ୍ପ ମସ୍କଙ୍କ କମ୍ପାନିଗୁଡ଼ିକୁ ମିଳୁଥିବା ସରକାରୀ ସବ୍ସିଡି ଓ ଚୁକ୍ତିକୁ ରଦ୍ଦ କରିବାକୁ ଧମକ ଦେଇଥିଲେ। ତାଙ୍କ ସମର୍ଥନ ବିନା ଟ୍ରମ୍ପ ରାଷ୍ଟ୍ରପତି ପଦ ଜିତି ପାରି ନ ଥାନ୍ତେ ଓ ସେ ଜଣେ ଅକୃତଜ୍ଞ ବୋଲି ମସ୍କ କହିଥିଲେ। ସେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଅନେକ ସମାଲୋଚନାମୂଳକ ପୋଷ୍ଟ ପୁନଃ ସେୟାର କରିବା ସହ ତାଙ୍କ ବିରୋଧରେ ମହାଭିଯୋଗ ପାଇଁ ଆହ୍ୱାନ ଦେଇଥିଲେ। ବିବାଦ ବଢ଼ିବା ପରେ ମସ୍କ ବୋଧହୁଏ ଏବେ ତାଙ୍କ ଭୁଲ୍ ବୁଝିପାରିଛନ୍ତି। ସେଥିପାଇଁ ସେ ତାଙ୍କ ପୂର୍ବ ଟ୍ରମ୍ପ-ବିରୋଧୀ ପୋଷ୍ଟଗୁଡ଼ିକ ପାଇଁ ଦୁଃଖପ୍ରକାଶ କରିଛନ୍ତି।
ଟ୍ରମ୍ପ ବିରୋଧୀ ପୋଷ୍ଟକୁ ନେଇ ଦୁଃଖ ପ୍ରକାଶ କଲେ ମସ୍କ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗତ ସପ୍ତାହରେ କରିଥିବା ଏକ୍ସ ପୋଷ୍ଟକୁ ନେଇ ଟେସ୍ଲା ସିଇଓ ଏଲନ୍ ମସ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପଙ୍କ...
/sambad/media/media_files/2025/06/12/0KcrG7jDGzUCpk6U1gvd.jpg)