ଲଣ୍ଡନ : ବିଶ୍ବର ୧ ନମ୍ବର ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର କମ୍ପାନି ଟେସଲା ଏବଂ ମହାକାଶଯାନ ନିର୍ମାଣକାରୀ କମ୍ପାନି ସ୍ପେସ‌ଏକ୍ସର ସିଇଓ ଏଲନ୍‌ ମସ୍କଙ୍କ ମାଆ ମାୟେ ମସ୍କ ତାଙ୍କ ନିଜ ବ୍ୟକ୍ତିଗତ ଏବଂ ପାରିବାରିକ ଜୀବନର କିଛି କଥା ସାମ୍ନାକୁ ଆଣିଛନ୍ତି। ମାୟେ ତାଙ୍କ ପୁଅ ଏଲନଙ୍କର ଟେକ୍ସାସସ୍ଥିତ ସ୍ପେସ‌ଏକ୍ସ ମୁଖ୍ୟାଳୟକୁ ଯେତେବେଳେ ଯାଆନ୍ତି ସେତେବେଳେ ସେଠାରେ ତାଙ୍କ ଗ୍ୟାରେଜ୍‌ରେ ଶୁଅନ୍ତି। କାରଣ ରକେଟ ନିର୍ମାଣ ହେଉଥିବା ସ୍ଥାନ ନିକଟରେ ତାଙ୍କୁ ଏକ ସୁନ୍ଦର ଘର ରହିବାକୁ ମିଳେ ନାହିଁ ବୋଲି ‘‌ଦ ସଣ୍ଡେ ଟାଇମ୍ସ’କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି। ଏହାବ୍ୟତୀତ ତାଙ୍କ ପୁଅ ନିଜ ପାଇଁ ସମ୍ପତ୍ତି ଆହରଣରେ ସେତେଟା ଆଗ୍ରହ ରଖନ୍ତି ନାହିଁ। ଚଳିତବର୍ଷ ଏଲନ ମସ୍କ ନିଜେ ମଧ୍ୟ ଏହି କଥା କହିଥିଲେ। ‌

Advertisment

ଏଲନଙ୍କର ନିଜର ଘର ନାହିଁ। ସାଙ୍ଗସାଥୀଙ୍କ ଘରେ ସେ ରହିଯାଆନ୍ତି। ତାହା ପୂର୍ବରୁ ୨୦୨୦ରେ ସମ୍ପତ୍ତିକୁ ନେଇ ନିଜର ଆଭିମୁଖ୍ୟକୁ ମଧ୍ୟ ଏଲନ ସ୍ପଷ୍ଟ କରିଥିଲେ। ମୋ ପାଖରେ ଯେଉଁସବୁ ଭୌତିକ ସଂପତ୍ତି ରହିଛି ତାହା ବିକ୍ରି କରୁଛି। ମୋ ନାମରେ କୌଣସି ଘର ରହିବ ନାହିଁ। ମୁଁ ନଗଦ ରାଶି ଆବଶ୍ୟକ କରେ ନାହିଁ। ତାଙ୍କୁ ସଂପତ୍ତି ଆହରଣ ବୋଝ ‌ଭଳି ହୋଇଥାଏ। ତାହା ପରେ ସେ କହିଥିଲେ ତାଙ୍କର ମୌଳିକ ଘର ସ୍ପେସ‌ଏକ୍ସଠାରୁ ଭଡ଼ାସୂତ୍ରରେ ପାଇଥିବା ୫୦ ହଜାର ଡଲାର ମୂଲ୍ୟର ଘର।

ସାକ୍ଷାତକାରରେ ମାୟେ ଆହୁରି କହିଛନ୍ତି, ପୁଅ ଭଳି ତାଙ୍କର ମଙ୍ଗଳ ଗ୍ରହକୁ ଯିବାକୁ ଆଗ୍ରହ ନାହିଁ। ମଙ୍ଗଳକୁ ଯିବାକୁ ହେଲେ ୬ ମାସର ପ୍ରସ୍ତୁତି ଆବଶ୍ୟକ। ଏଥିସହିତ ଏକାନ୍ତବାସରେ ରହିବା ବି ଦରକାର। ଏହା ମୋତେ ଆକୃଷ୍ଟ କରେନାହିଁ। କିନ୍ତୁ ଯଦି ମୋ ପୁଅ ମୋତେ ଏଥିପାଇଁ କହ‌େ ତାହେଲେ ମୁଁ ତାହା କରିବି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ସ୍ବାମୀ ଏରୋଲ ମସ୍କଙ୍କ ଔରସରୁ ମାୟେଙ୍କର ୩ ସନ୍ତାନ ରହିଛନ୍ତି। ସେମାନେ ହେଲେ ଏଲନ, କିମ୍ବଲ ଏବଂ ଟୋସ୍‌କା। ଏରୋଲଙ୍କ ଠାରୁ ବିଚ୍ଛେଦ ହେବା ପରେ ସେ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଜୀବନ ଅତିବାହିତ କରିଥିଲେ। ତାଙ୍କର ଖାଦ୍ୟନଳୀରେ ଯନ୍ତ୍ରଣା ହୋଇଥିଲା। ସେଥିରେ ସେ ଏତେମାତ୍ରାରେ ଡରିଯାଇଥିଲେ ନିଜ ପିଲାଙ୍କୁ ଖୁଆଇ ନପାରିବା ଭୟ ତାଙ୍କୁ ସେ ସମୟରେ ପ୍ରବଳ ମାତ୍ରାରେ ଘାରିଥିଲା ବୋଲି ମାୟେ କହିଛନ୍ତି।