ଗୌହାଟି: ସାମ୍ପ୍ରଦାୟିକ ହିଂସା ହେତୁ ଗତ ଶୁକ୍ରବାର ଠାରୁ ଆସାମ୍ର ହୈଲାକାଣ୍ଡି ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଅତି ଉଗ୍ର ରୂପ ନେବାରୁ ଗତ ଶୁକ୍ରବାର ପୁଲିସ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ ଆହତ ହୋଇଥିଲେ। ସହରରେ କର୍ଫ୍ୟୁ ଜାରି ହୋଇଥିବାବେଳ ଜଣେ ଗର୍ଭବତୀ ମହିଳା ଗତ ରବିବାର ଦିନ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ସୁଦ୍ଧା ହସ୍ପିଟାଲ୍ ଯିବାପାଇଁ ଆମ୍ବୁଲାନ୍ସ ମିଳିନଥିଲା। ନନ୍ଦିତା ନାମ୍ନୀ ଏହି ଗର୍ଭବତୀ ମହିଳାଙ୍କ ସ୍ବାମୀ ରୁବେନ ଦାସ ତାଙ୍କୁ ହସ୍ପିଟାଲ୍ ନେବପାଇଁ ପାଖ ପଡ଼ୋଶୀଙ୍କର ସହାୟତା ମାଗିଥିଲେ। କିନ୍ତୁ କର୍ଫ୍ୟୁ ଜାରି ହୋଇଥିବାରୁ ତାଙ୍କୁ କେହି ସହଯୋଗ କରିନଥିଲେ। କିନ୍ତୁ ଏହି ସମୟରେ ନନ୍ଦିତାଙ୍କ ପାଇଁ ଦେବଦୂତ ସାଜିଥିଲେ ଜଣେ ମୁସଲିମ୍ ଯୁବକ ମକୁଲ୍। ସେ କର୍ଫ୍ୟୁକୁ ଖାତିର ନକରି ନିଜ ଜୀବନକୁ ବିପଦରେ ପକାଇ ସେ ରୁବେନ୍ଙ୍କ ପତ୍ନୀ ନନ୍ଦିତାଙ୍କୁ ନିଜ ଅଟୋରେ ହସ୍ପିଟାଲ୍ ନେଇ ଯାଇଥିଲେ। ଏସ୍କେ ରାୟ ସିଭିଲ୍ ହସ୍ପିଟାଲ୍ରେ ନନ୍ଦିତାଙ୍କର ପୁଅଟିଏ ଜନ୍ମ ହେଲା। ଏହି ପୁଅର ନାଁ ଦିଆଯାଇଛି ‘ଶାନ୍ତି’। ବିପଦ ସମୟରେ ଜଣେ ହିନ୍ଦୁ ମହିଳାଙ୍କ ଜୀବନ ରକ୍ଷା କରି ଜଣେ ମୁସଲିମ୍ ଯୁବକ ପୁଣିଥରେ ଭାଇଚାରାର ପ୍ରମାଣ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp