ବ୍ରାହ୍ମଣ ମଉସାଙ୍କ ପାଇଁ ପଇତା ପିନ୍ଧି ଅନ୍ତିମ ସଂସ୍କାର କଲେ ୩ ମୁସଲମାନ ଭାଇ

ଅମରେଲି: ସମ୍ପର୍କର ସୁତା ଖିଅ କେତେ ମଜଭୁତ ହୋଇପାରେ କେବେ ଭାବିଛନ୍ତି କି, ଆଜି ଆମେ ଆପଣଙ୍କୁ ଏମିତି ଏକ ସତ ଘଟଣା କହିବାକୁ ଯାଉଛୁ ଯାହାକି ଆପଣଙ୍କୁ ମଧ୍ୟ ଭାବିବାକୁ ବାଧ୍ୟ କରିବ | ଗୁଜୁରାଟ ଜିଲ୍ଲା ଅମରେଲିରେ ତିନିଜଣ ମୁସଲିମ ଭାଇ ନିଜ ବ୍ରାହ୍ମଣ ମଉସାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ସମ୍ପନ୍ନ କରିଛନ୍ତି | ଅମରେଲିରେ ମୃତକ ଭାନୁଶଙ୍କର ପାଣ୍ଡେ ଓ ଏହି ତିନି ଭାଇଙ୍କର ବାପା ଭିଖୁ କୁରେସିଙ୍କ ମଧ୍ୟରେ ନିବିଡ ବନ୍ଧୁତା ଥିଲା | ତେବେ ଭାନୁସଙ୍କରଙ୍କର ପରିବାରରେ କେହି ବି ସଦସ୍ୟ ନଥିଲେ |

ତିନି ବର୍ଷ ପୂର୍ବେ ଭିଖୁ କୁରେସିଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ନିଜ ବନ୍ଧୁକୁ ମଧ୍ୟ ବେଶ ଝୁରୁଥିଲେ ଭାନୁଶଙ୍କର | ତେବେ ଭିଖୁଙ୍କର ପରିବାର ସହ ଭାନୁସଙ୍କରଙ୍କର ବେଶ ନିବିଡ଼ତା ରହିଥିଲା | ଭିଖୁଙ୍କର ତିନି ପୁଅ ଭାନୁଶଙ୍କରଙ୍କର ଦେଖାଶୁଣା କରିବା ସହ ଯତ୍ନ ନେଉଥିଲେ | ତେବେ ଭାନୁଙ୍କର ମୃତ୍ୟୁ ହେବା ପରେ ତାଙ୍କ ସଂସ୍କାର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ କରିବାକୁ ତିନି ଭାଇ ନିଷ୍ପତ୍ତି ନେଇଥିଲେ | ତିନି ଭାଇ ଅବୁ, ନାସିର ଓ ଜୁବେର ତାଙ୍କ କୋକେଇକୁ ମସାଣି ଯାଏଁ ନେବା ସହ ପଇତା ମଧ୍ୟ ପିନ୍ଧିଥିଲେ |

ନାସିରଙ୍କର ପୁଅ ଭାନୁଶଙ୍କରଙ୍କର ଚିତାରେ ମୁଖାଗ୍ନି ଦେବା ସହ ହିନ୍ଦୁ ରୀତିନୀତି ମୁତାବକ ୧୨ ଦିନ ପରେ ଲଣ୍ଡା ହୋଇଥିଲେ | ତେବେ ଶେଷ ସମୟରେ କେବଳ ଏହି ତିନି ଭାଇ ଭାନୁଶଙ୍କରଙ୍କର ଦାୟିତ୍ୱ ନେଇନଥିଲେ ବରଂ କିଛି ବର୍ଷ ତଳେ ଯେତେବେଳେ ଭାନୁଶଙ୍କର ଦୁର୍ଘଟଣାର ଶିକାର ହୋଇ ଚଲାବୁଲା କରିପାରୁନଥିଲେ ସେବେଠାରୁ ଏହି ତିନି ଭାଇ ତାଙ୍କର ଯତ୍ନ ନେଇ ଆସୁଛନ୍ତି | ଧର୍ମକୁ ନେଇ ଅନେକ ଚର୍ଚ୍ଚା ହେଉଥିଲେ ବି ଏହି ନିଆରା ସମ୍ପର୍କର ଡୋରି ଆଗରେ ସବୁ କିଛି ଫିକା ପଡ଼ିଯିବ |

ସମ୍ବନ୍ଧିତ ଖବର