ଥିରୁଭାନନ୍ତପୁରମ୍: କେରଳରେ ଏକ ଗୁରୁତ୍ବପୂର୍ଣ୍ଣ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକଙ୍କ ବାପା ମୁସଲମାନ ଏବଂ ମାଆ ହିନ୍ଦୁ ଥିବା ଦର୍ଶାଯାଇଛି। ସେ ବଡ଼ ହୋଇ ଇସଲାମ ଗ୍ରହଣ କରିବାକୁ ମନା କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହା ପରେ ସେ ତାଙ୍କ ଦଲିଲରେ ଧର୍ମ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇଥିଲେ। ତେବେ ଏନେଇ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମାମଲା କେରଳ ହାଇକୋର୍ଟରେ ପହଞ୍ଚିଥିଲା। କୋର୍ଟ ମାମଲାର ଶୁଣାଣି କରି ଏ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ।
କେରଳ ହାଇକୋର୍ଟ କହିଛନ୍ତି ଯେ, ସ୍ୱେଚ୍ଛାକୃତ ଭାବରେ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କର ସମ୍ବିଧାନର ଧାରା ୨୫ ଅନୁଯାୟୀ ସରକାରୀ ସ୍କୁଲ ଡକ୍ୟୁମେଣ୍ଟରେ ତାଙ୍କର ଧର୍ମ ପରିବର୍ତ୍ତନ ରେକର୍ଡ କରାଯିବାର ମୌଳିକ ଅଧିକାର ଅଛି। ଜଷ୍ଟିସ୍ ଡିକେ ସିଂହ ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ଧାରା ୨୫ ଅନୁଯାୟୀ ସ୍ୱାଧୀନ ଧର୍ମ ଅଧିକାରରେ ସ୍ୱେଚ୍ଛାକୃତ ଭାବରେ ଧର୍ମ ପରିବର୍ତ୍ତନ କରିବାର ଅଧିକାର ଅନ୍ତର୍ଭୁକ୍ତ, ଏହାର ଅର୍ଥ ହେଉଛି ନାଗରିକମାନଙ୍କର ମଧ୍ୟ ସରକାରୀ ରେକର୍ଡରେ ଏପରି ପରିବର୍ତ୍ତନ ରେକର୍ଡ କରିବାର ଅଧିକାର ଅଛି।
ହାଇକୋର୍ଟ ରାୟରେ କହିଛନ୍ତି, ଯଦି କୌଣସି ବ୍ୟକ୍ତି କୌଣସି ଚାପ, ଠକେଇ, ପ୍ରଭାବ ବିନା ନିଜର ଧର୍ମ ପରିବର୍ତ୍ତନ କରନ୍ତି, ତେବେ ତାଙ୍କୁ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ଏବଂ ଧାରା ୨୫ ଅନୁଯାୟୀ ସୁରକ୍ଷା ମିଳିବ। ସାମ୍ବିଧାନିକ ଯୋଜନା ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ପସନ୍ଦର ଧାର୍ମିକ ବିଶ୍ୱାସ ପାଳନ କରିବାର ମୌଳିକ ଅଧିକାର ଅଛି। ଏହି ବିଶ୍ୱାସ ଏବଂ ଚିନ୍ତାଧାରା ଏପରି ଭାବରେ ପ୍ରଦର୍ଶନ କରିବାର ଅଧିକାର ମଧ୍ୟ ଅଛି ଯାହା ଦ୍ୱାରା ଅନ୍ୟମାନଙ୍କ ଧାର୍ମିକ ଅଧିକାର ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଉଲ୍ଲଂଘନ ନହେବ।
ଜଣେ ଯୁବକ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ସେ କୋର୍ଟଙ୍କୁ କହିଥିଲେ ଯେ, ତାଙ୍କ ବାପା ମୁସଲମାନ ଏବଂ ମାଆ ହିନ୍ଦୁ। ତାଙ୍କ ମାଆ ତାଙ୍କୁ କେରଳର ପାଲକ୍କଡ ଜିଲ୍ଲାରେ ହିନ୍ଦୁ ରୀତିନୀତି ଅନୁସାରେ ଲାଳନପାଳନ କରିଥିଲେ। ତାଙ୍କ ନାମ ସ୍କୁଲରେ 'ମହମ୍ମଦ ରିଆଜୁଦ୍ଦିନ ସିଏସ୍' ଭାବରେ ପଞ୍ଜିକୃତ ହୋଇଥିଲା ଏବଂ ତାଙ୍କ ଧର୍ମ ଇସଲାମ ଥିଲା। ପ୍ରାପ୍ତବୟସ୍କ ହେବା ପରେ, ସେ ଅନୁଭବ କଲେ ଯେ, ସେ ଇସଲାମରେ ବିଶ୍ୱାସ କରିବେ ନାହିଁ ଏବଂ ହିନ୍ଦୁ ଧର୍ମ ଅନୁସରଣ କରିବାକୁ ଚାହାନ୍ତି। ସେ ଆର୍ଯ୍ୟ ସମାଜ ମାଧ୍ୟମରେ ଆନୁଷ୍ଠାନିକ ଭାବରେ ଧର୍ମ ପରିବର୍ତ୍ତନ କରିଥିଲେ ଏବଂ ତାଙ୍କର ନୂତନ ନାମ 'ସୁଧୀନ କୃଷ୍ଣ ସିଏସ୍' ଏବଂ ଧର୍ମ 'ହିନ୍ଦୁ' ଭାବରେ ଦର୍ଶାଇ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ।
ଅଧିକ ପଢ଼ନ୍ତୁ: କତାରରେ ନେତାନ୍ୟାହୁଙ୍କ ବଡ଼ ଶତ୍ରୁ, ହତ୍ୟା କରିବାକୁ ମୋସାଦର ଯୋଜନା
ଯୁବକ ଜଣକ କୋର୍ଟକୁ କହିଥିଲେ ଯେ ସେ ତାଙ୍କର ମାଧ୍ୟମିକ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ରେକର୍ଡ ଦଲିଲ୍କୁ ଅପଡେଟ୍ କରିବାକୁ ଚାହୁଁଥିଲେ। କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ସ୍କୁଲ ଯୁକ୍ତି ଦେଇଥିଲା ଯେ, କେରଳ ଶିକ୍ଷା ଆଇନ ଏବଂ ନିୟମରେ ସ୍କୁଲ ରେକର୍ଡରେ ଜାତି ଏବଂ ଧର୍ମ ପରିବର୍ତ୍ତନ କରିବାର କୌଣସି ବ୍ୟବସ୍ଥା ନାହିଁ। ତା’ପରେ ସେ କୋର୍ଟକୁ ଯାଇ ଯୁକ୍ତି ଦେଇଥିଲେ ଯେ, ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା କେରଳ ଶିକ୍ଷା ଆଇନ ଏବଂ ନିୟମ ୧୯୫୯ର ନିୟମ ୩(୧) ର ଉଲ୍ଲଂଘନ, ଯାହା ଏପରି ପରିବର୍ତ୍ତନକୁ ଅନୁମତି ଦେଇଥାଏ।
ଅଧିକ ପଢ଼ନ୍ତୁ: ନିଆଁ ଲାଗିବାରୁ ଅଟକିଲା ତେଜସ ଏକ୍ସପ୍ରେସ୍: ଦେଢ଼ ଘଣ୍ଟା ବିଳମ୍ବରେ ଛାଡ଼ିଲା ଟ୍ରେନ୍
kerala-high-court | verdict