ଶ୍ରୀନଗର: ଜମ୍ମୁ-କଶ୍ମୀରର ଡୋଡାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ଜମ୍ମୁ-କଶ୍ମୀରରେ ନୂତନ ଭାବେ ନିର୍ମାଣ ହୋଇଥିବା ମନ୍ଦିରକୁ ଦେବା-ଦେବୀଙ୍କୁ ନେବାର ଥିବା ବେଳେ ଏହି କାମରେ ସେଠାରେ ରହୁଥିବା ମୁସଲମାନ ଭାଇ-ଭଉଣୀମାନେ ସାହାଯ୍ୟ କରିଥିବା ଜଣାପଡ଼ିଛି। ମୁସଲମାନ ଭାଇ-ଭଉଣୀମାନେ ୭୦୦କିଲୋଗ୍ରାମ ଓଜନ ବିଶିଷ୍ଟ ମୂର୍ତ୍ତିଗୁଡ଼ିକୁ ନେଇ ପାହାଡ ଚଢ଼ିବା ସହ ହିନ୍ଦୁ ମନ୍ଦିରରେ ପହଞ୍ଚାଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ବି ଦେଶରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ରହିଥିବା ପ୍ରମାଣ ହୋଇଛି।
ସୂଚନା ମୁତାବକ, ଭଦ୍ରବାହ-ଡୋଡା ରାଜପଥଠାରୁ ତିନି କିଲୋମିଟର ଦୂରରେ ଥିବା ଏକ ପାହାଡ ଉପରେ ମନ୍ଦରଟି ହୋଇଥିବା ବେଳେ ଏହି ମନ୍ଦିର ପାଇଁ ୫୦୦ କିଲୋଗ୍ରାମରୁ ୭୦୦କିଲୋଗ୍ରାମ ଓଜନ ବିଶିଷ୍ଟ ୬ଟି ମୂର୍ତ୍ତି ଅଣାଯାଇଥିଲା। ହେଲେ ମନ୍ଦିରକୁ ଯିବା ପାଇଁ ରାସ୍ତା ନଥିବାରୁ ଏସବୁ ମୂର୍ତ୍ତିକୁ ଉପରକୁ ନେବା ସମ୍ଭବ ହୋଇପାରୁନଥିଲା। ଏହି ଅସୁବିଧାକୁ ଅନୁଭବ କରି କୁରସରୀ ପଞ୍ଚାୟତର ସରପଞ୍ଚ ସାଜିଦ ମୀର ସଡକ ନିର୍ମାଣ ପାଇଁ ୪.୬ଲକ୍ଷ ଟଙ୍କା ଦେବା ସହ ତାଙ୍କ ସମ୍ପ୍ରଦାୟର ୧୫୦ ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ଚାରି ଦିନ ମଧ୍ୟରେ, ଉଭୟ ସମ୍ପ୍ରଦାୟର ଲୋକମାନେ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ଆଣିବା ପାଇଁ ମେସିନ୍ ଏବଂ ଦଉଡି ବ୍ୟବହାର କରିଥିଲେ। ଏହି ମୂର୍ତ୍ତିଗୁଡ଼ିକ ଅଗଷ୍ଟ ୯ରେ ଏକ ଧାର୍ମିକ ସମାରୋହ ସହ ମନ୍ଦିରରେ ସ୍ଥାପନ କରାଯିବ।
ମୀର କହିଛନ୍ତି ଯେ, ଆମକୁ ଯେଉଁମାନେ ଧର୍ମ ଆଧାରରେ ବିଭାଜନ କରିବାକୁ ଚେଷ୍ଟା କରିଛନ୍ତି, ଆମେ ସେମାନଙ୍କ ଜାଲରେ ପଡ଼ିନାହୁଁ। ଆମେ ଏକଜୁଟ ହୋଇ ଅଛୁ ବୋଲି ଆଜି ଆମେ ପୁଣି ଥରେ ପ୍ରମାଣ କରିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-54.jpg)