ଚେନ୍ନାଇ: ଯଦିଓ ଇସଲାମିକ ଆଇନ ପୁରୁଷଙ୍କୁ ବହୁବିବାହର ଅଧିକାର ଦେଇଥାଏ, ତଥାପି ତାଙ୍କୁ ସମସ୍ତ ପତ୍ନୀଙ୍କୁ ସମାନ ବ୍ୟବହାର କରିବାକୁ ପଡିବ, ନଚେତ୍ ଏହା ନିଷ୍ଠୁରତା ହେବ ବୋଲି ମାଡ୍ରାସ ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି। ଜଷ୍ଟିସ ଆର୍‌ଏମ୍‌ଟି ଟିକା ରମଣ ଏବଂ ଜଷ୍ଟିସ ପିବି ବାଲାଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ତିରୁନେଲଭେଲିର ଏକ ପାରିବାରିକ ଅଦାଲତଙ୍କ ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ସ୍ୱାମୀ ଓ ତାଙ୍କ ପରିବାର ସଦସ୍ୟ ପ୍ରଥମ ପତ୍ନୀଙ୍କୁ ନିର୍ଯାତନା ଦେଇଥିଲେ। ପରେ ସେ ଅନ୍ୟ ଜଣେ ମହିଳାଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମା ପତ୍ନୀଙ୍କ ବୟାନ ଅନୁଯାୟୀ, ତାଙ୍କ ସ୍ୱାମୀ, ମା’ ଓ ଭଉଣୀ ତାଙ୍କୁ ନିର୍ଯାତନା ଦେଉଥିଲେ। ସେ କହିଛନ୍ତି ଯେ ସେ ଗର୍ଭବତୀ ଥିବା ବେଳେ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ତାଙ୍କର ଉପଯୁକ୍ତ ଯତ୍ନ ନେଉ ନଥିଲେ। ଗର୍ଭପାତ ହେବା ପରେ ସନ୍ତାନ ଜନ୍ମ କରି ନ ପାରିବାରୁ ଭାଉଜ ତାଙ୍କୁ ନିର୍ଯାତନା ଦେଇଥିଲେ।

Advertisment

ସ୍ୱାମୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ରେକର୍ଡରେ ଥିବା ତଥ୍ୟକୁ ଅନୁଧ୍ୟାନ କରିବା ପରେ କୋର୍ଟ କହିଛନ୍ତି ଯେ ପତ୍ନୀ ସଫଳତାର ସହ ପ୍ରମାଣିତ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ସମାନ ବ୍ୟବହାର କରିନାହାନ୍ତି ଏବଂ ତାଙ୍କର ଉପଯୁକ୍ତ ଯତ୍ନ ନେଇନାହାନ୍ତି, ଯାହାଫଳରେ ସେ ନିଜ ପୈତୃକ ଘରକୁ ଫେରିଆସିଥିଲେ ବୋଲି ଖଣ୍ଡପୀଠ କହିଛନ୍ତି। ତେଣୁ ପାରିବାରିକ ଅଦାଲତ ଯେଉଁ ରିପୋର୍ଟ ଦେଇଛନ୍ତି ଯେ ସ୍ୱାମୀ ପତ୍ନୀଙ୍କୁ ନିଷ୍ଠୁର ବ୍ୟବହାର କରିଛନ୍ତି ଏବଂ ସେହି ଅନୁଯାୟୀ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି, ତାହା ଠିକ୍ ଏବଂ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି ରାୟରେ ଦର୍ଶାଯାଇଛି। ଏହି ମନ୍ତବ୍ୟ ସହ ଖଣ୍ଡପୀଠ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ସ୍ୱାମୀଙ୍କ ପକ୍ଷରୁ ଓକିଲ କେ ଆବିୟା ମାମଲା ପରିଚାଳନା କରିଥିଲେ। ଆଇନ ସହାୟତା ପ୍ୟାନେଲରୁ ପତ୍ନୀଙ୍କ ପାଇଁ ଆଇନଜୀବୀ ସି ଜୟା ଇନ୍ଦିରା ପଟେଲଙ୍କୁ ନିଯୁକ୍ତ କରାଯାଇଥିଲା।