‘ଆଦର୍ଶ ନିକାହାନାମା’ ଜାରି କରିବ ମୁସ୍‌ଲିମ୍‌ ବୋର୍ଡ: ତିନ୍‌ ତଲାକ୍‌ ଦେବେ ନାହିଁ ବୋଲି ଶପଥ ନେବେ ବରପାତ୍ର

ମୁମ୍ବାଇ: ଅଲ୍‌ ଇଣ୍ଡିଆ ପର୍ସନାଲ୍‌ ମୁସ୍‌ଲିମ୍‌ ଲ ବୋର୍ଡ(ଏଏଲ୍‌ଏମ୍‌ପିଏଲ୍‌ବି) ତିନ୍‌ ତଲାକ୍‌ ବ୍ୟବସ୍ଥାକୁ ବିରୋଧ କରି ଏକ ନୂତନ ନିୟମ ପ୍ରଣୟନ କରିବାକୁ ଯାଉଛି । ଏଣିକି ବିବାହ ସମୟରେ ବରମାନଙ୍କୁ ତୁରନ୍ତ ତଲାକ୍‌ ନ କରିବାକୁ ଏକ ଶପଥ ନେବାକୁ କୁହାଯିବ ବୋଲି ବୋର୍ଡ ପକ୍ଷରୁ ପ୍ରକାଶ ପାଇଛି। ଗତ ବର୍ଷ ଏଏଲ୍‌ଏମ୍‌ପିଏଲ୍‌ବି ତିନ୍‌ ତଲାକ ନିଷେଧ ବିରୋଧରେ ସୁପ୍ରିମ୍‌କୋର୍ଟରେ ବୁଝାଇବାକୁ ଯାଇ ଅସମର୍ଥ ହୋଇଥିଲା। ତିନ୍‌ ତଲାକ୍‌ ପ୍ରଥା କାହିଁକି ନିଷେଧ ହେବ ନାହିଁ ବୋଲି କୋର୍ଟଙ୍କ ପ୍ରଶ୍ନର ବୋର୍ଡ ଉତ୍ତର ରଖିପାରି ନଥିବାରୁ ସୁପ୍ରିମ୍‌କୋର୍ଟ ବୋର୍ଡର ବିରୋଧରେ ଯାଇଥିଲେ। ତା’ପରେ ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ ତିନ୍‌ ତଲାକକୁ ଅବୈଧ୍ୟ ଘୋଷଣା କରିଥିଲେ।

ମୁସଲ୍‌ମାନ ମହିଳାଙ୍କ ବିବାହ ସୁରକ୍ଷାକୁ ଦୃଷ୍ଟିରେ ରଖିବା ସହ ତିନ୍‌ ତଲାକ ଏକ ଅପରାଧିକ କାର୍ଯ୍ୟ ବୋଲି ବିବେଚନା କରି ଲେକସଭାରେ ଏକ ବିଲ୍‌ ପାରିତ ହେବାର ମାସେ ପରେ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ୯ ରୁ ୧୧ ତାରିଖ ମଧ୍ୟରେ ହାଇଦ୍ରାବାଦ୍‌ରେ ହେବାକୁ ଥିବା ବୋର୍ଡର ବାର୍ଷିକ ଉତ୍ସବରେ ଏହି ନୂଆ ‘ଆଦର୍ଶ ନିକାହାନାମା’ ରିଲିଜ୍‌ କରାଯିବ। ଫଳରେ ବରମାନଙ୍କୁ ବିବାହ ସମୟରେ ଶପଥ କରିବାକୁ ହେବ ଯେ ସେ ତାଙ୍କ ପତ୍ନୀଙ୍କୁ ତିନ୍‌ ତଲାକ ଜରିଆରେ ଛାଡ଼ପତ୍ର ଦେବେ ନାହିଁ। ସେମାନେ ନିକାହା ସମୟରେ ଏକ ଦସ୍ତଖତ କରି ତିନ୍‌ ତଲାକ ଦେବେ ନାହିଁ ବୋଲି ଶପଥ ନେବେ। ଥରେ ଏହା କାର୍ଯ୍ୟକାରୀ ହୋଇଯିବା ପରେ ଯିଏ ଏହାକୁ ଉଲଂଘନ କରିବାରୁ ଚେଷ୍ଟା କରିବେ ତାହାକୁ ବେନିୟମ୍‌ ମନାଯିବ ବୋଲି ବୋର୍ଡର ମହାସଚିବ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଏହି ତିନ୍‌ ତଲାକ ମାମଲା ନେଇ ଲୋକସଭାରେ ବିଲ୍‌ ପାରିତ ହୋଇଯାଇଛି। ରାଜ୍ୟସଭାରେ ଏଯାଏ ବିଲ୍‌ ପାରିତ ହୋଇନାହିଁ।

ସମ୍ବନ୍ଧିତ ଖବର