ମୁସଲିମ୍ ଲିଗ୍ ସାମ୍ପ୍ରଦାୟିକ, ମାତ୍ର ଉଗ୍ରବାଦୀ ନୁହେଁ: ଆର୍‌ଏସ୍‌ଏସ୍‌

କୋଚି: ମୁସଲିମ୍ ଲିଗ୍ ଏକ ସାମ୍ପ୍ରଦାୟିକ ଦଳ ସତ ମାତ୍ର ଏହା ଏକ ଗଣତାନ୍ତ୍ରିକ ସଂଗଠନ ଏବଂ ଏହା ଉଗ୍ରବାଦକୁ ସମର୍ଥନ କରେ ନାହିଁ ବୋଲି କୋଚିଠାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ପ୍ରାନ୍ତ ସଂଘ ଚାଳକ କେକେ ବଳରାମ ଏବଂ ପ୍ରାନ୍ତ କାର୍ଯ୍ୟକର୍ତ୍ତା ପିଏନ୍ ଈଶ୍ବରନ୍ ଶନିବାର କହିଛନ୍ତି। ମାର୍ଚ୍ଚ ୧୨ରୁ ୧୪ ପର୍ଯ୍ୟନ୍ତ ହରିୟାଣାର ପାନପଥ ଜିଲ୍ଲା ଅନ୍ତର୍ଗତ ସମଲଖାଠାରେ ଅନୁଷ୍ଠିତ ଆର୍‌ଏସ୍‌ଏସ୍‌ ଜାତୀୟ କାର୍ଯ୍ୟକାରିଣୀର ନିଷ୍ପତ୍ତି ଉପରେ ସୂଚନା ଦେବାକୁ ଯାଇ ନେତାଦ୍ବୟ କହିଲେ ଯେ, କେବଳ ଚରମପନ୍ଥୀ ଓ ଦେଶବିରୋଧୀ ଶକ୍ତି ଛଡ଼ା ଆର୍‌ଏସ୍‌ଏସ୍‌ ସବୁ ସଂଗଠନ ସହ ସୁସ୍ଥ ବିତର୍କ କରିବାକୁ ପ୍ରସ୍ତୁତ।

ଈଶ୍ବରନ୍ କହିଲେ, ଜମାତ-ଏ-ଇସଲାମି ସହ କୌଣସି କଥାବାର୍ତ୍ତା ହୋଇ ନାହିଁ। ଇସଲାମିକ୍ ବିଦ୍ବାନମାନଙ୍କର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀଠାରେ ଆର୍‌ଏସ୍‌ଏସ୍‌ ନେତାଙ୍କ ସହ ସାକ୍ଷାତ୍ କରିବାକୁ ଆସିଥିଲେ। ସେହି ପ୍ରତିନିଧି ଦଳରେ ଜମାତ-ଏ-ଇସଲାମିର ଜଣେ ପ୍ରତିନିଧି ଥିଲେ। ଜାତୀୟତାବାଦକୁ ସମର୍ଥନ କରୁଥିବା ଏବଂ ଚରମବାଦକୁ ବିରୋଧ କରୁଥିବା ଯେକୌଣସି ସଂଗଠନ ସହ ଆମେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ନିକଟରେ ମୁସଲିମ୍ ଲିଗ୍‌ର ଜଣେ ଏମ୍‌ଏଲ୍‌ଏଙ୍କ ସମେତ କେତେଜଣ ମୁସଲିମ୍ ନେତାଙ୍କ ସହ ମାଲାପୁରମ୍‌ ଜିଲ୍ଲାରେ ଆମେ କଥାବାର୍ତ୍ତା କରିଥିଲୁ। ବିଧାୟକଙ୍କ କାର୍ଯ୍ୟାଳୟକୁ ଯିବା ଆମ ଜନସମ୍ପର୍କ ଅଭିଯାନର ଏକ ଅଂଶ ଥିଲା ବୋଲି ଈଶ୍ବରନ୍ କହିଛନ୍ତି।

ସେ କହିଲେ ଯେ, ମୁସଲିମ୍ ଲିଗ୍‌ର ଯେଉଁ ନେତାଙ୍କ ସହ ସେମାନେ କଥାବାର୍ତ୍ତା କରିଥିଲେ ସେ ପ୍ରକାଶ କରିଥିଲେ ଯେ ସେମାନେ ଉଗ୍ରବାଦରେ ବିଶ୍ବାସ କରନ୍ତି ନାହିଁ। ସେମାନେ ଉଗ୍ରବାଦୀ ନୁହନ୍ତି ବୋଲି ଆର୍‌ଏସ୍‌ଏସ୍‌ ମଧ୍ୟ ବିଶ୍ବାସ କରେ। ବଳରାମ କହିଲେ ଯେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭିତରେ ଥିବା ଅବିଶ୍ବାସ ଦୂର କରିବାରେ ଆର୍‌ଏସ୍‌ଏସ୍‌ ସମର୍ଥ ହୋଇଛି, ଯାହା ସେମାନଙ୍କ ସହ ସୁସ୍ଥ ବିତର୍କ କରିବାରେ ସହାୟକ ହୋଇଛି। ନିକଟରେ ଅନେକ ବିଶପଙ୍କ ସହ ସେମାନେ ଆଲୋଚନା କରିଥିବା ବଳରାମ କହିଥିଲେ।

ସମ୍ବନ୍ଧିତ ଖବର