ସୁନା ଚୋରାଚାଲାଣ ସନ୍ଦେହରେ ପୁଅକୁ ଜେରା ପରେ ତାତିଲେ ମୁସଲିମ ଲିଗ୍ ରାଜ୍ୟସଭା ସାଂସଦ

ତିରୁବନ୍ତପୁରମ: ସୁନା ଚୋରା ଚାଲାଣ ସନ୍ଦେହରେ ମୁସଲିମ ଲିଗ୍ ରାଜ୍ୟସଭା ସଦସ୍ୟ ଅବଦୁଲ ୱାହାବଙ୍କ ପୁଅକୁ କେରଳ ବିମାନବନ୍ଦରରେ କଡା ଯାଞ୍ଚ କରାଯିବା ପରେ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସାଂସଦ |ଏହି ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ଅବଦୁଲ ୱାହାବ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି ଯେ ତାଙ୍କ ପୁଅକୁ ତିରୁବନନ୍ତପୁର ବିମାନବନ୍ଦରରେ ପ୍ରାୟ ଏକ ଘଣ୍ଟା ଧରି ଅଟକ ରଖାଯାଇଥିଲା ଏବଂ ପରେ ଏକ୍ସ-ରେ ପାଇଁ ଜବରଦସ୍ତ ଡାକ୍ତରଖାନା ନିଆଯାଇଥିଲା। ପୁଅକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା ଏବଂ ପରେ ତାଙ୍କ ଜିନିଷପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା। ତା’ପରେ ତାଙ୍କ ପୁଅଙ୍କ ପୋଷାକ କାଢିଦିଆଯାଇଥିଲା ଓ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଏକ୍ସ-ରେ କରାଯାଇଥିଲା |

ସେ କହିଛନ୍ତି ଯେ ବିମାନବନ୍ଦରରେ ସେ ଜଣେ ସାଂସଦଙ୍କ ପୁଅ ବୋଲି କହିବା ପରେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କୁ ଯାଞ୍ଚ ଜାରି ରଖିଥିଲେ। ସାଂସଦ କହିଛନ୍ତି ଯେ ନଭେମ୍ବର ୧ ରେ ତାଙ୍କ ପୁଅ ଶାରଜାରୁ ଏୟାର ଆରବ ବିମାନରେ ପହଞ୍ଚିବା ପରେ ଏହି ଘଟଣା ଘଟିଥିଲା। ତେବେ ଏକ୍ସ-ରେ ପରୀକ୍ଷା ପରେ ସୁନା ମିଳିନଥିବାରୁ ତାଙ୍କୁ ଛଡାଯାଇଥିଲା । ସାଂସଦ ତାଙ୍କ ପୁଅ ପ୍ରତି କରାଯାଇଥିବା କାର୍ଯ୍ୟକୁ ଅମାନବୀୟ ଆଚରଣ ବୋଲି କହିଛନ୍ତି। ସାଂସଦ କହିଛନ୍ତି, “ସାଧାରଣତଃ ଏଭଳି ପରିସ୍ଥିତିରେ ଏକ୍ସ-ରେ ପରୀକ୍ଷା ପାଇଁ ଜଣେ ମାଜିଷ୍ଟ୍ରେଟଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ଶନିବାର ଦିନ ସାଂସଦ ମାଲାପୁରାମରେ ଏକ ସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ପୁଅ ସହ କ’ଣ ଘଟିଥିଲା ​​ତାହା ବର୍ଣ୍ଣନା କରିଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ଜଣେ କଷ୍ଟମ ଅଧିକାରୀ କହିଛନ୍ତି ଯେ ସମାନ ନାମର ବ୍ୟକ୍ତି ଏୟାର ଆରବ ବିମାନରେ ବିପୁଳ ପରିମାଣର ସୁନା ଚୋରା ଚାଲାଣ କରୁଥିବାର ଗୁପ୍ତ ସୂଚନା ମିଳିଥିଲା | ଯାହାକୁ ନେଇ ଯାଞ୍ଚ କରାଯାଇଥିଲା |

ସମ୍ବନ୍ଧିତ ଖବର