କୋପ୍ପଲ: କର୍ଣ୍ଣାଟକର କୋପ୍ପଲ ଜିଲ୍ଲା ଅନ୍ତର୍ଗତ ଗଙ୍ଗାବତୀ ସହରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଦୃଷ୍ଟିବାଧିତ ୬୨ ବର୍ଷିୟ ବ୍ୟକ୍ତିଙ୍କ ଦାଢ଼ିକୁ ଭଙ୍ଗାକାଚରେ କାଟି ତାଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସ୍ଥାନୀୟ ମସ୍‌ଜିଦ୍‌ରେ ଭିକ୍ଷାବୃତ୍ତି କରି ଗୁଜରାଣ ମେଣ୍ଟାଉଥିବା ଗଙ୍ଗାବତୀ ନଗରୀର ହୁସେନ୍‌ ସାହବ ନାମକ ବ୍ୟକ୍ତିଜଣକ ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨୪ ତାରିଖ ରାତିରେ ସେ ଗଙ୍ଗାବତୀ ନଗରୀଠାରୁ ୩୩ କିଲୋମିଟର୍‌ ଦୂର ହୋସ୍‌ପେଟ୍‌ରୁ ଫେରିଥିଲେ। ସେତେବେଳକୁ ରାତି ୩ଟା। ଦୃଷ୍ଟିବାଧିତ ହୋଇଥିବାରୁ ସେ ଘରକୁ ଯିବା ପାଇଁ ସାଧାରଣତଃ ଅଟୋରିକ୍ସା ଉପରେ ନିର୍ଭର କରନ୍ତି। କିନ୍ତୁ, ଅଟୋ ଭଡ଼ା ୧୫୦ ଟଙ୍କା ‌ହୋଇଥିବାରୁ ସେ ଚାଲି ଚାଲି ଯିବେ ବୋଲି ସ୍ଥିର କଲେ। ଏତିକି ବେଳେ ଗୋଟାଏ ସ୍କୁଟର୍‌ ଆସୁଥିବା ଶବ୍ଦ ଶୁଣି ସେ ‘ଲିଫ୍‌ଟ୍‌’ ମାଗିଲେ।

Muslim man assaulted Image Courtesy of Times Now

କିନ୍ତୁ, ସ୍କୁଟର୍‌ରେ ଆସୁଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ଗୋଟାଏ ନିକାଞ୍ଚନ ସ୍ଥାନକୁ ନେଇଯାଇ ତଳେ ପକାଇ ଆକ୍ରମଣ କଲେ। ପାଖରେ ଥିବା ଟଙ୍କା ଛଡ଼ାଇ ନେବା ସହିତ ବିୟର୍‌ ବୋତଲର ଭଙ୍ଗାକାଚରେ ତାଙ୍କ ଦାଢ଼ି କାଟି ପକାଇ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିଥିଲେ। ପରେ ପାଖରେ ଥିବା ମେଣ୍ଢା ଜଗୁଆଳିମାନେ ଆସି ତାଙ୍କୁ ଉଦ୍ଧାର କରିଥିବା କଥା ସେ କହିଛନ୍ତି।

publive-image Image Courtesy of Maktoobmedia

ନଭେମ୍ବର ୨୪ ତାରିଖ ରାତି ୩ଟା ବେଳେ ଘଟିଥିବା ଉକ୍ତ ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତମାନଙ୍କର ସନ୍ଧାନ ନେଉଥିବା କଥା ପୁଲିସ କହିଛି।