ବାରଣାସୀ: ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍ୟୁ)ର ସଂସ୍କୃତ ବିଭାଗରେ ଜଣେ ମୁସଲିମ୍ ପ୍ରଫେସରଙ୍କ ନିଯୁକ୍ତିକୁ ବିରୋଧ କରି ହୋଇଥିବା ଛାତ୍ର ଆନ୍ଦୋଳନ ଆଜି ଥମିଛି। ଛାତ୍ରମାନେ ଗତ ୭ ତାରିଖରୁ ଆନ୍ଦୋଳନରେ ବସିଥିବାବେଳେ ଆଜି ୧୫ ଦିନରେ ଆନ୍ଦୋଳନରୁ ଓହରିଛନ୍ତି। ଫିରୋଜ୍ ଖାନ୍ଙ୍କ ନିଯୁକ୍ତି ପରଠାରୁ ସଂସ୍କୃତ ବିଭାଗରେ କୌଣସି କ୍ଲାସ୍ ହୋଇନଥିଲା। ଛାତ୍ରମାନେ ଆନ୍ଦୋଳନରେ ବସିଥିବାରୁ ଶ୍ରେଣୀଗୃହରେ ତାଲା ପଡ଼ିଥିଲା। କିନ୍ତୁ ବିଏଚ୍ୟୁ ଭିସି ରାକେଶ ଭଟ୍ଟନଗର ଆନ୍ଦୋଳନରତ ଛାତ୍ର, ଶିକ୍ଷକ ଏବଂ ମୁଖ୍ୟ ପ୍ରୋକ୍ଟରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବାପରେ ଆଜି ସଂସ୍କୃତ ବିଭାଗ ଖୋଲାଯାଇଛି। ଆନ୍ଦୋଳନରତ ଛାତ୍ରମାନେ ଭିସିଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଥିଲେ ମଧ୍ୟ ସେମାନଙ୍କ ଜିଦ୍ରେ ଅଟଳ ରହି ଶ୍ରେଣୀ ବର୍ଜନ କରିଛନ୍ତି। ତେବେ ପ୍ରଫେସର ଫିରୋଜ୍ ଖାନ୍ ସଂସ୍କୃତ ବିଭାଗରେ ପଢ଼ାଇବେ କି ନା’ ତାହା ସ୍ପଷ୍ଟ ହୋଇନି। ଆନ୍ଦୋଳନରତ ଛାତ୍ରଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟ ପ୍ରଶାସନକୁ ୧୦ ଦିନ ସମୟ ଦିଆଯାଇଛି। ପ୍ରଫେସର ଖାନ୍ଙ୍କ ନିଯୁକ୍ତି ପ୍ରକ୍ରିୟାରେ ସମସ୍ତ ନିୟମାବଳୀ ପାଳନ କରାଯାଇଛି କି ନା’ ସେନେଇ ଲିଖିତ ଉତ୍ତର ଚାହିଛନ୍ତି ଆନ୍ଦୋଳନରତ ଛାତ୍ର। ୧୦ ଦିନ ମଧ୍ୟରେ ପ୍ରଶାସନ ଉତ୍ତର ଦେବେ। ତେବେ ଏହି ସମୟ ମଧ୍ୟରେ ଆନ୍ଦୋଳନରତ ଛାତ୍ରମାନେ ଶ୍ରେଣୀ ବର୍ଜନ କରିବେ । ଛାତ୍ରନେତା ଚକ୍ରପାଣି ଓଝା କହିଛନ୍ତି ସେମାନେ ଖାନ୍ଙ୍କୁ ବିରୋଧ କରୁନାହାନ୍ତି କିନ୍ତୁ ବିଶ୍ବବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଏବଂ ବିଏଚ୍ୟୁ ଆଇନ ୧୯୧୫ରେ ଉଲ୍ଳଂଘନକୁ ସେମାନେ ବିରୋଧ କରୁଛନ୍ତି।
ବିଏଚ୍ୟୁରେ ମୁସଲିମ୍ ସଂସ୍କୃତ ପ୍ରଫେସର୍ ନିଯୁକ୍ତି ବିବାଦ, ଏବେ ବି ଜିଦ୍ରେ ଅଟଳ ଛାତ୍ର
/sambad/media/post_attachments/wp-content/uploads/2019/11/dag7agad987g65dagggggggggggggg.jpg)