ନୂଆଦିଲ୍ଲୀ: ପିଲାଦିନୁ ଅଲଗା ହୋଇଯାଇଥିବା ତିନି ଭାଇଭଉଣୀ ପରସ୍ପରକୁ ଭେଟିବାର ସୁଯୋଗ ପାଇଛନ୍ତି। ପାକିସ୍ତାନର ବାସିନ୍ଦା ଦୁଇ ମୁସଲମାନ ଭଉଣୀ ସେମାନଙ୍କର ଶିଖ୍‌ ଭାଇକୁ ପାକିସ୍ତାନର ଗୁରୁଦ୍ୱାରା ଜନମ୍‌ ଆସ୍ଥାନ ନାନକ ସାହିବଠାରେ ମିଳିତ ହେବାର ସୁଯୋଗ ପାଇଛନ୍ତି। ଭାଇଭଉଣୀ ପରସ୍ପରକୁ ୩୦ ବର୍ଷ ପରେ ଭେଟିବା ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ତିନିଜଣଙ୍କ ଆଖିରେ ଥିଲା ମିଳନର ଆନନ୍ଦାଶ୍ରୁ।

Advertisment

ଉଲଫତ୍‌ ବିବି ଓ ମୈରାଜ ବିବି ଦୀର୍ଘ ୩ ଦଶନ୍ଧି ପରେ ନିଜର ଭାଇ ବିୟନ୍ତ ସିଂଙ୍କୁ ପାଖରେ ପାଇ କୁଣ୍ଢାଇ ଧରି ଆନନ୍ଦରେ କାନ୍ଦି ଉଠିବାର ଦୃଶ୍ୟ ଖୁବ୍‌ ହୃଦୟସ୍ପର୍ଶୀ ଥିଲା।

ଅଭିଭକ୍ତ ଭାରତର ପଞ୍ଜାବର ପରାଚା ଗ୍ରାମର ଏକ ପରିବାର ଦେଶ ବିଭାଜନ ସମୟରେ ଦେଖାଦେଇଥିବା ହିଂସା ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।

ଏହାପରେ ତିନି ଭାଇ-ଭଉଣୀଙ୍କ ମା’ ଭାରତରେ ଥିବା ତାଙ୍କର ପଡ଼ୋଶୀମାନଙ୍କ ସହ ଯୋଗାଯୋଗ କରି ବେଶ୍‌ କିଛି ବର୍ଷ ପରେ ପୁଅ ବିୟନ୍ତର ଠିକଣା ଖୋଜି ପାଇଥିଲେ। ଏହାପରେ ବିୟନ୍ତଙ୍କର ତାଙ୍କ ମା’ ଓ ଦୁଇ ଭଉଣୀଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇଥିଲା। ପରସ୍ପର ଭିତରେ ଚିଠି ଦିଆନିଆ ଆରମ୍ଭ ହୋଇଥିଲା। ଏହାପରେ ଫୋନ୍‌ ଯୋଗେ ବାର୍ତ୍ତାଳାପ ହେଉଥିଲା।

ତେବେ ଚଳିତ ବର୍ଷ ପଞ୍ଜାବରୁ ତୀର୍ଥଯାତ୍ର ଲାଗି ପାକିସ୍ତାନ ଯାଇଥିବା ଶିଖମାନଙ୍କର ଏକ ଦଳରେ ସାମିଲ ହୋଇ ନାନକ ସାହିବ ଜନମ୍‌ ଆସ୍ଥାନ୍‌ ଗୁରୁଦ୍ୱାରାରେ ପହଞ୍ଚିଥିଲେ ବିୟନ୍ତ । ସେଠାକୁ ତାଙ୍କର ଦୁଇ ଭଉଣୀ ମଧ୍ୟ ଆସିଥିଲେ। ସେଠାରେ ତିନି ଭାଇଭଉଣୀଙ୍କ ମିଳନ ଘଟିଥିଲା।

ଦୁଇ ଭଉଣୀ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ତାଙ୍କ ଭାଇ ବିୟନ୍ତଙ୍କ ଭିସା ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।