ଜୟପୁର: ରାଜସ୍ଥାନର ଭିଲୱାଡ଼ାରେ ଜଣେ ହିନ୍ଦୁ ମହିଳାଙ୍କ ମୃତ୍ୟୁ ପରେ, ଜଣେ ମୁସଲିମ ଯୁବକ ତାଙ୍କ ମୃତଦେହକୁ କାନ୍ଧରେ ବୋହି ନେଇଥିଲେ। ତା'ପରେ ସେ ହିନ୍ଦୁ ରୀତିନୀତି ଅନୁସାରେ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏବେ ସେ ଚିତାଭସ୍ମ ମଧ୍ୟ ବିସର୍ଜନ କରିବେ। ଯୁବକ ଜଣକ କହିଛନ୍ତି, ମୋ ନିଜ ମାଆ ମଧ୍ୟ ମୋତେ ମୋ ମାଉସୀ ମାଆଙ୍କ ପରି ଭଲ ପାଉ ନଥିଲେ। ପ୍ରକୃତରେ,ମହିଳା ଜଣକ ମୁସଲିମ ଯୁବକଙ୍କ ପଡ଼ୋଶୀ ଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ମାଆ-ପୁଅର ସମ୍ପର୍କ ଥିଲା।
ମୁସଲମାନ 'ପୁଅ' କାନ୍ଦି କାନ୍ଦି ତାଙ୍କ ହିନ୍ଦୁ ମାଆଙ୍କୁ ମୁଖାଗ୍ନି ଦେଇ କହିଥିଲେ, ମୁଁ ସବୁକିଛି ହରାଇଛି, ମୁଁ ଚିତାଭସ୍ମ ତ୍ରିବେଣୀରେ ବିସର୍ଜନ କରିବି।
ପୁଅଙ୍କ ନାମ ହେଉଛି, ଅସଗର ଅଲ୍ଲୀ ଏବଂ ମୃତ ମାଆ ହେଉଛନ୍ତି, ଶାନ୍ତି ଦେବୀ। ଅସଗର ଶାନ୍ତିଙ୍କୁ ନିଜ ମାଆ ବୋଲି ମାନୁଥିଲେ।
ଭିଲୱାଡ଼ାରେ ଏପରି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ୬୭ ବର୍ଷୀୟ ହିନ୍ଦୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଜଣେ ୪୨ ବର୍ଷୀୟ ମୁସଲମାନ ଯୁବକ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ।
ଲୋକମାନେ ମାଆ ଏବଂ ପୁଅଙ୍କର ଏହି ଅନନ୍ୟ ସମ୍ପର୍କକୁ ପ୍ରଶଂସା କରୁଛନ୍ତି। ସେମାନେ କହୁଛନ୍ତି ଯେ, ଏପରି ଘଟଣା ବହୁତ କମ୍ ଦେଖାଯାଏ। ଏହି ଯୁବକ ଜଣକ ଜଣେ ପ୍ରକୃତ ପୁଅର କର୍ତ୍ତବ୍ୟ ପାଳନ କରିଛନ୍ତି। ଅସଗରଙ୍କର ମଣିୟାରିର ଜାଙ୍ଗି ମୋହଲ୍ଲାରେ ଏକ ଛୋଟ ଦୋକାନ ଅଛି। ଶାନ୍ତି ଦେବୀ ତାଙ୍କ ପଡ଼ୋଶୀରେ ରହୁଥିଲେ।
ଅସଗର ଅଲ୍ଲୀ କହିଛନ୍ତି, ଶାନ୍ତି ଦେବୀ ଏବଂ ତାଙ୍କ ସ୍ୱାମୀ ମେଳାରେ ଛୋଟ ଛୋଟ ଦୋକାନ କରୁଥିଲେ। ମୋ ବାପା ମାଆ ମଧ୍ୟ ସମାନ କାମ କରୁଥିଲେ। ଆମର ପରିବାର ପରସ୍ପରକୁ ୩୦ ବର୍ଷ ଧରି ଜାଣିଥିଲେ। ଆମେ ପରିବାରର ବନ୍ଧୁ ବୋଲି କେବେ ଅନୁଭବ କରି ନଥିଲୁ। ଆମେ ସବୁବେଳେ ଗୋଟିଏ ପରିବାର ପରି ଏକାଠି ରହୁଥିଲୁ। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ, ୨୦୧୦ ମସିହାରେ, ଶାନ୍ତି ଦେବୀ ତାଙ୍କ ପୁଅ ସହିତ ଆମ ପଡ଼ୋଶୀରେ ରହିବାକୁ ଆସିଥିଲେ। ଆମର ଉଭୟ ପରିବାର ସଲିମ କୁରେଶୀଙ୍କ ଘରେ ଭଡ଼ାରେ ରହୁଥିଲେ। ମୋର ପରିବାର ପ୍ରଥମ ମହଲାରେ ଏବଂ ଶାନ୍ତି ଦେବୀ ତଳ ମହଲାରେ ରହୁଥିଲେ।
ଅସଗର କହିଛନ୍ତି, ୨୦୧୭ ମସିହାରେ ମୋ ବାପାଙ୍କ ମୃତ୍ୟୁ ହୋଇଥିଲା। ଶାନ୍ ଦେବୀ ମୋ ମାଆଙ୍କୁ କେବେ ଏକା ଛାଡି ନଥିଲେ। ସେ ତାଙ୍କ ପାଖରେ ଭଉଣୀ ପରି ଠିଆ ହୋଇଥିଲେ। ମୁଁ ମଧ୍ୟ ଶାନ୍ତି ଦେବୀଙ୍କୁ ମାଉସୀ ମାଆ ବୋଲି ଡାକୁଥିଲି। ୨୦୧୮ ମସିହାରେ ଏକ ବନ୍ୟ ପ୍ରାଣୀ ଶାନ୍ତି ଦେବୀଙ୍କ ପୁଅକୁ ଆକ୍ରମଣ କରିଥିଲା। ତାଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ଶାନ୍ତି ଦେବୀ ଆମ ସହିତ ସମୟ ବିତାଇବା ଆରମ୍ଭ କରିଥିଲେ। ଆମେ ଏକ ପରିବାର ପରି ରହୁଥିଲୁ। ସେ ମୋତେ ମାଆ ପରି ଭଲ ପାଉଥିଲେ। ମୋ ମାଆ ଦୁଇ ବର୍ଷ ପୂର୍ବରୁ ପରପାରିକୁ ଚାଲିଯାଇଥିଲେ। କିନ୍ତୁ ଶାନ୍ତି ମାଆ ମୋତେ କେବେ ଏକା ଅନୁଭବ କରିବାକୁ ଦେଇ ନଥିଲେ। ସେ ସବୁବେଳେ ମୋ ବିଷୟରେ ଚିନ୍ତା କରୁଥିଲେ। ସେ ମୋର ଖାଦ୍ୟ ଠାରୁ ଆରମ୍ଭ କରି ସବୁକିଛିର ଯତ୍ନ ନେଉଥିଲେ। ହୁଏତ ମୋ ନିଜ ମାଆ ମଧ୍ୟ ମୋର ଏତେ ଯତ୍ନ ନେଇ ନଥିଲେ ଯେପରି ଶାନ୍ତି ମାଆ କରୁଥିଲେ।
କାନ୍ଦି କାନ୍ଦି ଅସଗର କହିଛନ୍ତି, ଶୀତଦିନେ ଶାନ୍ତି ମାଆ ମୋ ଗାଧୋଇବା ପାଇଁ ପାଣି ଗରମ କରୁଥିଲେ। ସେ ପୋଷାକ ଧୋଇ ଦେଉଥିଲେ। ମୁଁ କାମରୁ ଫେରିବା ପରେ ସେ ସ୍ନେହରେ କହୁଥିଲେ ମୋ ପୁଅ ଏଠାରେ ଅଛି। ମୋ ସ୍ତ୍ରୀ ମଧ୍ୟ ମାଉସୀ ମାଆ ପରି ମୋ ଖାଦ୍ୟ ପାନୀୟର ଏତେ ଯତ୍ନ ନେଇ ନଥିଊେ। ତାଙ୍କ ସମ୍ମାନାର୍ଥେ, ମୁଁ ମୋ ଘରେ ନନ୍-ଭେଜ୍ ରୋଷେଇ କରିବା ଏବଂ ଖାଇବା ବନ୍ଦ କରିଦେଇଥିଲି। ଆମେ ଖୁସିରେ ଏକାଠି ଇଦ୍ ଏବଂ ଦୀପାବଳି ପାଳନ କରୁଥିଲୁ। ଶାନ୍ତି ମାଆ କିଛି ସମୟ ପାଇଁ ଅସୁସ୍ଥ ଥିଲେ। ଏବେ ଯେତେବେଳେ ତାଙ୍କର ମୃତ୍ୟୁ ହେଲା, ମୁଁ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ମଧ୍ୟ କରିଛି।
ଶାନ୍ତି ଦେବୀଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଚିତାଭସ୍ମକୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ କିମ୍ବା ଚିତ୍ତୋରଗଡ଼ର ମାତୃକୁଣ୍ଡିଆରେ ବିସର୍ଜନ କରାଯିବ। ମୁଁ ନିଜେ ତାଙ୍କ ଚିତାଭସ୍ମକୁ ବିସର୍ଜନ କରିବି। ମୋ ପାଇଁ ସବୁକିଛି ଶେଷ ହୋଇଯାଇଛି। ମୁଁ ଏବେ ଅନାଥ ଏବଂ ମୋ ମାଆ ବିନା ସମ୍ପୂର୍ଣ୍ଣ ଏକା। ମୁଁ ମୋର ଦୁଃଖ କାହାକୁ କହିପାରିବି ନାହିଁ। ପ୍ରତ୍ୟେକ ଜନ୍ମରେ ମୁଁ ଏପରି ମାଆ ପାଇବାକୁ ପ୍ରାର୍ଥନା କରୁଛି ବୋଲି ଅସଗର କହିଛନ୍ତି।