ଚେନ୍ନାଇ: ସ୍ବାମୀ ସହ ଏକାଠି ଚଳିବା ଅସମ୍ଭବ ମନେହେଲେ ଜଣେ ମୁସଲମାନ ମହିଳା ଛାଡ଼ପତ୍ର ବା ବିବାହବିଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିପାରିବେ, ଯାହାକୁ ସେମାନଙ୍କ ଭାଷାରେ କୁହାଯାଏ ‘ଖୁଲା’। ତେବେ କେବଳ ଫ୍ୟାମିଲି କୋର୍ଟରେ ମହିଳାମାନେ ସେମାନଙ୍କର ‘ଖୁଲା’ ଅଧିକାର ସାବ୍ୟସ୍ତ କରିପାରିବେ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। କୌଣସି ଘରୋଇ ସଂସ୍ଥା ଏତେବଡ଼ ନିଷ୍ପତ୍ତି ନେଇପାରିବେ ନାହିଁ ଏବଂ ବିବାହ ବିଚ୍ଛେଦ ପାଇଁ ପ୍ରମାଣପତ୍ର ଦେଇ ପାରିବେ ନାହିଁ।
ସୂଚନାଯୋଗ୍ୟ, ମୁସଲମାନ ପୁରୁଷମାନେ ମହିଳାଙ୍କୁ ତାଙ୍କ ପ୍ରଥା ଅନୁସାରେ ଛାଡ଼ପତ୍ର ଦେଲେ ତାକୁ କହନ୍ତି ‘ତଲାକ’ ଏବଂ ମହିଳାମାନେ ପୁରୁଷଙ୍କୁ ଛାଡ଼ପତ୍ର ଦେଲେ ତାକୁ କହନ୍ତି ‘ଖୁଲା’। ପୂର୍ବରୁ ତିନିଥର ତଲାକ କହିଦେଲେ ଛାଡ଼ପତ୍ର ହୋଇଯାଉଥିଲା, ଯାହାକୁ ସରକାର ଆଇନ କରି ବନ୍ଦ କରିଛନ୍ତି। ଆଜିଯାଏ ସରିଆତ କାଉନସିଲଗୁଡ଼ିକ ଦ୍ବାରା ‘ଖୁଲା’ ପ୍ରମାଣପତ୍ର ପ୍ରଦାନ କରାଯାଇ ଆସୁଥିଲା। ୨୦୧୭ରେ ତାମିଲନାଡ଼ୁ ତୋହିଦ ଜମାତର ସରିଆତ କାଉନସିଲ ଦ୍ବାରା ପ୍ରଦତ୍ତ ଏକ ‘ଖୁଲା’ ପ୍ରମାଣପତ୍ରକୁ ନାକଚ କରିବା ପାଇଁ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍ ସି ସରବାନନ ଏହି ପ୍ରମାଣପତ୍ରକୁ ନାକଚ କରିଦେବା ସହ କହିଛନ୍ତି ଯେ କୌଣସି ଘରୋଇ ସଂସ୍ଥାର ଏପରି ପ୍ରମାଣପତ୍ର ଦେବାର ଅଧିକାର ନାହିଁ ଏବଂ ଦେଲେ ତାହା ଅବୈଧ ବିବେଚିତ ହେବ। କୌଣସି ମହିଳା ଖୁଲା ପାଇଁ କେବଳ ଫ୍ୟାମିଲି କୋର୍ଟରେ ଆବେଦନ କରିପାରିବେ ଏବଂ କୋର୍ଟ ଏ ନେଇ ନିଷ୍ପତ୍ତି ନେଇପାରିବେ।