ମୁସଲମାନଙ୍କ ପାଇଁ ୧୫୦ ଦେଶ ଥିବାବେଳେ ହିନ୍ଦୁମାନଙ୍କ ପାଇଁ ଅଛି କେବଳ ଭାରତ: ଗୁଜରାଟର ମୁଖ୍ୟମନ୍ତ୍ରୀ

ଅହମଦାବାଦ: ବସବାସ ପାଇଁ ମୁସଲମାନମାନେ ବିଶ୍ୱର ୧୫୦ଟି ଇସ୍‌ଲାମୀୟ ଦେଶରୁ ଯେ କୌଣସି ଗୋଟିକୁ ବାଛିପାରିବେ, କିନ୍ତୁ ହିନ୍ଦୁମାନଙ୍କ ପାଇଁ ଅଛି କେବଳ ଭାରତ। ନାଗରିକତା (ସଂଶୋଧନ) ଆଇନର ଯଥାର୍ଥତା ଦର୍ଶାଇବାକୁ ଯାଇ ମଙ୍ଗଳବାର ଦିନ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏ କଥା କହିଛନ୍ତି।

ସାବରମତୀ ଆଶ୍ରମ ବାହାରେ ‘ସିଏଏ’ ସମର୍ଥନରେ ବାହାରି ଥିବା ଏକ ରାଲିରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ରୁପାନି କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଇଚ୍ଛାକୁ ସମ୍ମାନ ଦେଉନାହିଁ ବୋଲି ସେ କହିଛନ୍ତି।

ରୁପାନି କହିଲେ: ପାକିସ୍ତାନରେ ଥିବା ହିନ୍ଦୁ ଓ ଶିଖ୍‌ମାନଙ୍କୁ ଭାରତ ନାଗରିକତା ପ୍ରଦାନ କରୁ ବୋଲି ଗାନ୍ଧୀଜୀ ମତ ଦେଇଥିଲେ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏବେ ଏହାକୁ କଂଗ୍ରେସ କାହିଁକି ବିରୋଧ କରୁଛି- ଏ କଥା ସେ ଦେଶବାସୀଙ୍କୁ ବୁଝାଇ ଦେଉ।

Image Source: Zee News

ସେ କହିଲେ: ବିଭାଜନ ସମୟରେ ପାକିସ୍ତାନରେ ୨୨% ହିନ୍ଦୁ ଥିଲେ। ଅତ୍ୟାଚାର ବୃଦ୍ଧି ପାଇବା ଯୋଗୁଁ ସେମାନଙ୍କ ସଂଖ୍ୟା ୩%କୁ ହ୍ରାସ ପାଇଲାଣି। ସେଇଥିପାଇଁ ହିନ୍ଦୁମାନେ ଭାରତକୁ ଫେରିଆସିବାକୁ ଚାହୁଁଛନ୍ତି। ଅତ୍ୟାଚାରିତ ହିନ୍ଦୁମାନଙ୍କୁ କଂଗ୍ରେସ ଯେଉଁ ପ୍ରକାରର ସହାୟତା କରିବାର ଥିଲା ଆମେ ତାହା କରୁଥିବା ବେଳେ କଂଗ୍ରେସ ବିରୋଧ କରୁଛି।

ସେ ପୁଣି କହିଲେ ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟ ୨%କୁ ହ୍ରାସ ପାଇଲାଣି। କିଛି ଦଶନ୍ଧି ତଳେ ଆଫଗାନିସ୍ଥାନରେ ୨ ଲକ୍ଷ ହିନ୍ଦୁ ଓ ଶିଖ୍‌ ବାସିନ୍ଦା ଥିଲେ। ଏବେ ମାତ୍ର ୫୦୦ ଅଛନ୍ତି। ମୁସଲମାନମାନେ ୧୫୦ଟି ଦେଶକୁ ଯାଇ ପାରିବେ, କିନ୍ତୁ ହିନ୍ଦୁମାନଙ୍କ ପାଇଁ ମାତ୍ର ଗୋଟିଏ ଦେଶ ଅଛି ଏବଂ ତାହା ହେଊଛି ଭାରତ। ସେମାନେ ଫେରିଆସିବାକୁ ଚାହିଁଲେ ଅସୁବିଧା କ’ଣ?

ସମ୍ବନ୍ଧିତ ଖବର