ବନ୍ଦୀମାନଙ୍କ କିଡନୀ, ଯକୃତ ଏବଂ ହାର୍ଟ ପରି ଅଙ୍ଗର ବ୍ୟବସାୟ କରୁଛି ଚୀନ

ବେଜିଂ: ପିଲାଦିନରେ ଆପଣମାନେ ନିଶ୍ଚିତ ଭାବରେ ଜେଜେବାପା ଜେଜେମାଙ୍କଠାରୁ ବହୁ ପୁରାତନ କାହାଣୀ ଶୁଣିଥିବେ। ସେହି କାହାଣୀ ମଧ୍ୟରେ ପିଲା ଚୋର କାହାଣୀ ପ୍ରାୟ ସମସ୍ତେ ଶୁଣିଥିବେ। ଅଜଣା ଜାଗାକୁ ଯାଅନାହିଁ ନହେଲେ ପିଲା ଚୋର ନେଇଯିବ। ସେତେବେଳେ ଆମେ ସମସ୍ତେ ପଚାରିଥାଉ, ପିଲା ଚୋର କ’ଣ କରିବେ? ତା ଉତ୍ତରରେ ଆସିଥାଏ ଯେ ସେ ପିଲାମାନଙ୍କୁ ଏକ ବ୍ୟାଗରେ ନେଇ ଆଖି, ନାକ ଏବଂ କାନ ବାହାର କରିବା ପରେ ବିକ୍ରି କରିଦିଅନ୍ତି।

ବର୍ତ୍ତମାନ ଚୀନ୍ ସେହି କାହାଣୀର ପିଲା ଚୋର ହୋଇସାରିଛି। ଯିଏ କି ନିଜ ଦେଶର ବନ୍ଦୀମାନଙ୍କ କିଡନୀ, ଯକୃତ ଏବଂ ହାର୍ଟ ପରି ଅଙ୍ଗର ବ୍ୟବସାୟ କରୁଛି। ଏହାକୁ ‘ବାଧ୍ୟତାମୂଳକ ଅଙ୍ଗ ପ୍ରତିରୋପଣ’ ବୋଲି କୁହାଯାଏ। ଏହାର ଶିକାର ହେଉଛନ୍ତି ଫାଲୁନ୍ ଗଙ୍ଗ ଏବଂ ଉଇଗୁରୁ ମୁସଲମାନ ପରି ଦଳିତ ସମ୍ପ୍ରଦାୟ। ଯାହାକୁ ଚୀନ୍ ସରକାର ନିଜ ପାଇଁ ଏକ ପ୍ରତିବନ୍ଧକ ବୋଲି ବିବେଚନା କରୁଛି ।
ବିଶ୍ୱର ଗୋଟିଏ ଜଣାଶୁଣା ମେଡିକାଲ ଟ୍ରାନ୍ସପ୍ଲାଣ୍ଟ ମାଗାଜିନରେ ଚଳିତ ବର୍ଷ ଏହି ଖବର ପ୍ରକାଶିତ ପାଇଥିଲା । ୭୧ଟି ମାମଲାର ଯାଞ୍ଚ କରି କୁହାଯାଇଛି ଯେ ଚୀନ ନିଜ ଦେଶରେ ଥିବା କଏଦୀଙ୍କ ଶରୀରରୁ ଜୋର ଜବରଦସ୍ତ କିଡନୀ, ଯକୃତ ଓ ହାର୍ଟ ପରି ଅଙ୍ଗକୁ ବାହାର କରିନେଉଛି। ଯଦ୍ୱାରା କଏଦୀଙ୍କ ମୃତ୍ୟୁ ସଂଖ୍ୟା ବଢୁଛି। ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଚାଇନାରେ ହେଉଥିବା ୯୫% ଟ୍ରାନ୍ସପ୍ଲାଣ୍ଟ କଏଦୀଙ୍କ ଅଙ୍ଗରେ ହିଁ ହେଉଛି। ଯାହାକି ଚୀନର କିଛି ବିଶିଷ୍ଟ ଡାକ୍ତର ନିଜେ ସ୍ୱୀକାର କରିଛନ୍ତି। ମାର୍ଚ୍ଚ ୨୦୨୨ରେ ହ୍ୟୁମାନ ରାଇଟ କମିସନଙ୍କ ନିକଟରେ ମଧ୍ୟ ଏହି ବିଷୟରେ ଶୁଣାଣି ହୋଇଥିଲା। ଯେଉଁଥିରେ କୁହାଯାଇଥିଲା କି, ଚୀନ ନିଜ ଦେଶରେ ଥିବା ଦଳିତ ସମ୍ପ୍ରଦାୟଙ୍କ ନରସଂହାର କରୁଛି ଏବଂ ତାଙ୍କୁ ବାଧ୍ୟତାମୂଳକ ଅଙ୍ଗ ଦାନ କରିବାକୁ ବାଧ୍ୟ କରୁଛି।

ହ୍ୟୁମାନ ରାଇଟ ଅନୁସନ୍ଧାନକାରୀ ଇଥନ ଗଟମ୍ୟାନ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମେ ୨୮ ରୁ ୨୯ ବର୍ଷ ବୟସର ସୁସ୍ଥ କଏଦୀଙ୍କୁ ବଛା ଯାଇଥାଏ ଅଙ୍ଗ ଦାନ କରିବାକୁ ଏବଂ ତାପରେ ତାଙ୍କ ସ୍ୱାସ୍ଥାବସ୍ଥା ଚେକ କରିସାରିଲା ପରେ ତାଙ୍କ ଅଙ୍ଗର ମ୍ୟାଚ କରାଯାଇଥାଏ। କଏଦୀଙ୍କ ଅଙ୍ଗ ମ୍ୟାଚ ହେଲା ପରେ ରାତାରାତି ତାଙ୍କ ଟ୍ରାନ୍ସପ୍ଲାଣ୍ଟ କରାଇଦିଆଯାଇଥାଏ।
ଚୀନ୍ ସରକାର ଦାବି କରିଛନ୍ତି ଯେ ଦେଶରେ ପ୍ରତିବର୍ଷ ପ୍ରାୟ ୧୦ ହଜାର ଅଙ୍ଗ ପ୍ରତିରୋପଣ କରାଯାଏ। ଏହି ସଂଖ୍ୟା ସରକାରୀ ଅଟେ। କିନ୍ତୁ ଗୁପ୍ତ ସୂଚନା ଅନୁଯାୟୀ, ୨୫ ହଜାରରୁ ରୁ ୫୦ ହଜାର ଲୋକଙ୍କୁ ହତ୍ୟା କରି ଚାଇନାରେ ପ୍ରତିବର୍ଷ ପ୍ରାୟ ୬୦ ହଜାରରୁ ରୁ ୧ ଲକ୍ଷ ଅଙ୍ଗ ପ୍ରତିରୋପଣ କରାଯାଏ। ଏବେ ପ୍ରଶ୍ନ ଉଠୁଛି ଯେ ଚାଇନା ଏହି ବ୍ୟବସାୟ କିପରି ସ୍ଥାପନ କରିଛି?
ଫାଲୁନ୍ ଗଙ୍ଗ ହେଉଛି ଏକ ଚାଇନିଜ୍ ସମ୍ପ୍ରଦାୟ ଯାହା ୧୯୯୨ ମସିହାରେ ଆଧ୍ୟାତ୍ମିକ ନେତା ଲି ହଙ୍ଗଜିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଲୋକମାନେ ଧ୍ୟାନର ଏକ ସ୍ୱତନ୍ତ୍ର ପଦ୍ଧତି ଅଭ୍ୟାସ କରନ୍ତି, ଯାହା ମାଧ୍ୟମରେ ବଡ଼ ରୋଗର ଉପଶମ ପାଇଁ ଦାବି କରାଯାଏ। ଏହାର ଆରମ୍ଭର ୭-୮ ବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟା ୧୦୦ କୋଟିରେ ପହଞ୍ଚିଥିଲା। ଅର୍ଥାତ୍ ଚାଇନାରେ ପ୍ରତି ୧୨ ଜଣଙ୍କ ମଧ୍ୟରୁ ଜଣେ ଫାଲୁନ୍ ଗଙ୍ଗର ଜଣେ ଅନୁଗାମୀ ଥିଲେ। ତା’ପରେ ଚୀନ୍‌ର ତତ୍କାଳୀନ ରାଷ୍ଟ୍ରପତି ଜିଆଙ୍ଗ ଜେମିନ୍ ଫାଲୁନ୍ ଗଙ୍ଗ ସମ୍ପ୍ରଦାୟକୁ ଚୀନ୍ ଶାନ୍ତି ପାଇଁ ବିପଦ ବୋଲି ଘୋଷଣା କରିଥିଲେ। ସେବେଠାରୁ ଏହି ଧର୍ମର ଅନୁଗାମୀମାନଙ୍କ ଉପରେ ଦମନ ଜାରି ରହିଛି।

ଉଇଗୁରୁ ମୁସଲମାନମାନେ ଚାଇନାରେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ଯାହାକି ଜିନଜିଆନ୍ ପ୍ରଦେଶରେ ବାସ କରନ୍ତି। ଚୀନ୍ ଅସ୍ୱୀକାର କରିଛି ଯେ ସେମାନେ ଏକ ଆଦିବାସୀ ଗୋଷ୍ଠୀ। ଚୀନ ସେମାନଙ୍କୁ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦରେ ଅଭିହିତ କରୁଛି। ସେଥିପାଇଁ ଉଇଗୁରୁ ମୁସଲମାନମାନଙ୍କୁ ଭେଦଭାବ ଓ ନିର୍ଯାତନା ଦିଆଯାଉଛି।

ମାଛ ମାର୍କେଟ ପରି ଚୀନରେ ଅଙ୍ଗ ପ୍ରତିରୋପଣ ହେଉଥିବାର ଦେଖାଯାଇଛି। ଏକ ରିପୋର୍ଟ ଅନୁସାରେ ଫାଲୁନ୍ ଗଙ୍ଗ ଓ ଉଇଗୁରୁ ମୁସଲମାନ ମାନେ ଏହାର ଟାର୍ଗେଟ ହେଉଛନ୍ତି। ଚୀନର ୧୭ ଟି ଜାଗାରେ ଏହି ଅଙ୍ଗ ପ୍ରତିରୋପଣ ହେଉଥିବା ସୂଚନା ରହିଛି। ୨୦୧୯ ରେ ଏହି ବାଧ୍ୟତାମୂଳକ ଅଙ୍ଗ ପ୍ରତିରୋପଣକୁ ନେଇ ଏକ ଟ୍ରିବୁନାଲ ଟିମ ଗଠନ ହୋଇଥିଲା। ଏହାର ଯାଞ୍ଚ କରି ଟିମ କହିଥିଲା ଯେ ଅନେକ ବର୍ଷ ଧରି ଚୀନ ଏହି ଅବାଧ ଅଙ୍ଗ ପ୍ରତିରୋପଣ ଚଳାଇଛି।

ସମ୍ବନ୍ଧିତ ଖବର