ଆହ୍ଲାବାଦ: କୁମ୍ଭମେଳା ଉପଲକ୍ଷେ ରାସ୍ତା ଚଉଡ଼ା କରିବାକୁ ଉତ୍ତର ପ୍ରଦେଶ ସରକାର ଯୋଜନା କରୁଥିବା ବେଳେ ଆହ୍ଲାବାଦର ମୁସଲମାନମାନେ ପୁରୁଣା ସହରାଞ୍ଚଳରେ କେତେକ ମସ୍‌ଜିଦ୍‌ର କିଛି କିଛି ଅଂଶ ଭାଙ୍ଗି ପକାଉଛନ୍ତି। ସ୍ୱେଚ୍ଛାକୃତ ଭାବେ ଏ ଭଳି ପଦକ୍ଷେପ ନେଉଛନ୍ତି ବୋଲି ମୁସଲମାନ ସଦସ୍ୟମାନେ କହୁଛନ୍ତି।

Advertisment

ସହରର ଜଣେ ମୁସଲମାନ ବାସିନ୍ଦା କହନ୍ତି: ଆମେ ଆପଣା ଇଚ୍ଛାରେ ଏ ଭଳି କରୁଛୁ। ଏହି ଅଂଶ ସବୁ ସରକାରୀ ଜମିରେ ତିଆରି ହୋଇଥିବାରୁ ଭଙ୍ଗା ଯାଇଛି। କୁମ୍ଭ ମେଳା ପୂର୍ବରୁ ସରକାର ରାସ୍ତା ଚଉଡ଼ା କରୁଥିବାରୁ ଆମେ ସହଯୋଗ କରୁଛୁ।

୨୦୧୯ ମସିହା ଜାନୁଆରି ୧୫ ତାରିଖ, ମକର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେବା କୁମ୍ଭ ମେଳାର ପ୍ରଥମ ‘ଶହି ସ୍ନାନ’ ଏବଂ ଫେବ୍ରୁଆରି ୪ ତାରିଖ ମୌନି ଅମାବାସ୍ୟା ଦିନ ହେବ ଦ୍ୱିତୀୟ, ଏବଂ ଫେବ୍ରୁଆରି ୧୦ ତାରିଖ ବସନ୍ତ ପଞ୍ଚମୀ ଦିନ ହେବ ତୃତୀୟ ସ୍ନାନ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବ୍ୟକ୍ତଗତ ଭାବେ ଅହ୍ଲାବାଦ କୁମ୍ଭମେଳାର ପ୍ରସ୍ତୁତି ଉପରେ ଦୃଷ୍ଟି ରଖିଛନ୍ତି। କୁମ୍ଭ ମେଳାକୁ ବିଶ୍ୱରେ ପ୍ରସିଦ୍ଧି ଦେବାକୁ ଯଥେଷ୍ଟ ଉଦ୍ୟମ କରି ନ ଥିବାରୁ କେନ୍ଦ୍ରର ତତ୍‌କାଳୀନ ସରକାରଙ୍କୁ ନିନ୍ଦା କରିଛନ୍ତି ଯୋଗୀ।

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ୨୦୧୯ କୁମ୍ଭ ମେଳାର ପ୍ରସାର ପ୍ରଚାର ପାଇଁ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଜୋର୍‌ଦାର୍‌ ଉଦ୍ୟମ କରୁଛି।