ମୁଜାଫରନଗର: ସ୍କୁଲ ଶିକ୍ଷକଙ୍କ ନିର୍ଦ୍ଦେଶରେ ଅନ୍ୟ ଜଣେ ସହପାଠୀଙ୍କଠାରୁ ଚାପୁଡ଼ା ଖାଇଥିବା ଛାତ୍ର ଏବେ ସେହି ସ୍କୁଲ୍କୁ ଛାଡ଼ି ଦେଇଛନ୍ତି। ଛାତ୍ର ଜଣକ ନିଜର ପୁରୁଣା ସ୍କୁଲରୁ ବାହାରି ଯାଇ ଗ୍ରାମଠାରୁ କିଛି କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଘରୋଇ ବିଦ୍ୟାଳୟରେ ତାଙ୍କ ନାମ ଲେଖାଇଛନ୍ତି। ଏ ନେଇ ଜାମିଆତ୍-ଇ-ଉଲେମା ହିନ୍ଦ୍ ପକ୍ଷରୁ ତାଙ୍କୁ ସଂପୂର୍ଣ୍ଣ ସହଯୋଗ ମିଳିଛି।
ଜାମିଆତ୍-ଇ-ଉଲେମା ହିନ୍ଦ୍ ସଂଗଠନର ଜିଲ୍ଲା ସଭାପତି ମୌଲନା ମୁକରାମ ସୋମବାର ଦିନ ପିଟିଆଇକୁ କହିଛନ୍ତି ଯେ ସଂଗଠନ ବାଳକଟିର ଶିକ୍ଷା ଖର୍ଚ୍ଚକୁ ନିଜେ ବହନ କରିବା ସହ ଶାହାପୁର ସହରର ଏକ ଇଂରାଜି ମାଧ୍ୟମ ବିଦ୍ୟାଳୟରେ ଆଡମିସନ ପାଇଁ ବ୍ୟବସ୍ଥା କରିଛି।
ସେ କହିଛନ୍ତି ଯେ ଏହି ସଂଗଠନ ବାଳକକୁ ନୂତନ ବିଦ୍ୟାଳୟକୁ ଯିବା ପାଇଁ ସମସ୍ତ ସୁବିଧା କରିଦେବା ସହ ଯିବାସିବା ପାଇଁ ଏକ ଗାଡିର ବନ୍ଦୋବସ୍ତ ମଧ୍ୟ କରିଛି। ଛାତ୍ର ଜଣଙ୍କୁ ୟୁକେଜିରେ ଭର୍ତ୍ତି କରାଯାଇଛି ଏବଂ ଯେତେଦିନ ପର୍ଯ୍ୟନ୍ତ ବାଳକ ଅଧ୍ୟୟନ କରିବାକୁ ଚାହିଁବେ ଜାମିଆତ୍-ଇ-ଉଲେମା ହିନ୍ଦ୍ ତାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।
ମୁକରାମ ଆହୁରି ବି କହିଛନ୍ତି ଯେ ‘‘ଜାମିଆତ୍-ଇ-ଉଲେମା ହିନ୍ଦ୍ର ସଦସ୍ୟମାନେ ଏହାର ସଭାପତି ଅର୍ଶଦ ମଦାନୀଙ୍କ ନିର୍ଦ୍ଦେଶରେ ରବିବାର ଦିନ ବାଳକଟିର ପରିବାରକୁ ଯାଇଥିଲେ। ବାଳକର ବାପା ଏବଂ ସଂଗଠନର ସଦସ୍ୟମାନେ ସୋମବାର ନୂତନ ବିଦ୍ୟାଳୟ ପରିଦର୍ଶନ କରି ଆଡମିସନ ପ୍ରକ୍ରିୟା ଶେଷ କରିଛନ୍ତି।’’
ସେପଟେ, ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ଉତ୍ତରପ୍ରଦେଶ ସଂଖ୍ୟାଲଘୁ କମିସନ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଆପଣ ଜାଣନ୍ତି ଯେ ଗତ କିଛି ଦିନ ତଳେ ଜଣେ ମୁସ୍ଲମାନ ଛାତ୍ରଙ୍କୁ ସ୍କୁଲ୍ ଶିକ୍ଷକଙ୍କ ନିର୍ଦ୍ଦେଶରେ ତାଙ୍କର ଜଣେ ସହପାଠୀ ଚାପୁଡ଼ା ମାରୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡିଓକୁ ନେଇ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା।