ସଚିନଙ୍କ ପ୍ରସିଦ୍ଧ ପ୍ରଶଂସକ ସୁଧୀରଙ୍କୁ ପୁଲିସର ମାଡ। ଦିନେ ଯେଉଁ ଥାନାକୁ ଉଦ୍‌ଘାଟନ କରିଥିଲେ ସେହି ଥାନାରେ ଖାଇଲେ ମାଡ!

ମୁଜାଫରରପୁର: ଉତ୍ତରପ୍ରଦେଶ ମୁଜାଫରପୁର ଜିଲ୍ଲାର ଟାଉନ ଥାନାରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପ୍ରସିଦ୍ଧ ପ୍ରଶଂସକ ସୁଧୀର କୁମାରଙ୍କୁ ପୁଲିସ ମାଡ ମାରିଛି। ତେବେ, ସବୁଠାରୁ ବଡ କଥା ହେଉଛି ସୁଧୀର ହିଁ ଏହି ଥାନାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଥାନାକୁ ଉଦଘାଟନ କରିଥିଲେ । ସୁଧୀର ଉଦଘାଟନ କରିଥିବା ଥାନାରେ ଜଣେ ଥାନା ଅଧିକାରୀ ସୁଧୀରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ତାଙ୍କ ଉପରକୁ ହାତ ଉଠାଇଥିଲେ। ତେବେ ସେ ତାଙ୍କୁ ହାତରେ ନ ମାରି ଦୁଇ ଗୋଇଠା ମାରି ଥାନାରୁ ବାହାର କରି ଦେଇଥିଲେ। ଏହି ଘଟଣା ପରେ ଦୁଃଖିତ ଥିବା ସୁଧୀର, ଟାଉନ ଥାନାର ଡିଏସପି ରାମନରେଶ ପାଶଓ୍ଵାନଙ୍କ ନିକଟରେ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି। ଡିଏସପି ମାମଲାର ତଦନ୍ତ କରି ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଅନୁସାରେ ସୁଧୀରଙ୍କ କାକାଙ୍କ ପୁଅକୁ ଟାଉନ ଥାନା ପୁଲିସ ତାଙ୍କ ଘରୁ ଉଠେଇ ନେଇଥିଲା। ସନ୍ଧ୍ୟାରେ ସୁଧୀର ଘରକୁ ଫେରିବା ପରେ ତାଙ୍କ ଘର ଲୋକ ଏ ଘଟଣା ବିଷୟରେ ତାଙ୍କୁ ଜଣାଇଥିଲେ। ଘର ଲୋକ ସୁଧୀରକୁ କହିଥିଲେ ପୁଲିସ୍ ବିନା କୌଣସି କାରଣରୁ ତାଙ୍କ କାକାଙ୍କ ପୁଅକୁ ଉଠେଇ ନେଇଛି।

ସୁଧୀର ପରିବାର ଲୋକଙ୍କ କଥା ଶୁଣିବା ପରେ ତୁରନ୍ତ ଥାନାରେ ପହଞ୍ଚିଥିଲେ ଓ ତାଙ୍କ ଭାଇଙ୍କୁ ପଚାରିଥିଲେ କାହିଁକି ତାଙ୍କୁ ପୁଲିସ ଗିରଫ କରି ଥାନାରେ ରଖିଛି । ତାଙ୍କୁ ତାଙ୍କ ଭାଇ କହିଥିଲେ, ତାଙ୍କର ଜଣେ ସାଙ୍ଗ ଏକ ଜମି କିଣିଥିଲେ। ଜମି କିଣିଲା ବେଳେ ସାକ୍ଷୀ ଭାବରେ ତାଙ୍କର ନାମ ଦିଆଯାଇଥିଲା। ବୋଧହୁଏ ସେହି ଜମିକୁ ନେଇ କିଛି ଝଗଡା ହୋଇଥିଲା। ଏହି ଝଗଡାରେ ଗୋଟେ ପକ୍ଷ ମାମଲା ଦାୟର କରିଥିଲେ । ଏହି ଘଟଣା ବିଷୟରେ ସେ ସମ୍ପୂର୍ଣ୍ଣ ଭାବେ ଅଜ୍ଞ ଥିଲେ ବୋଲି ତାଙ୍କ ଭାଇ ସୁଧୀରଙ୍କୁ କହିଥିଲେ। ତଥାପି ତାଙ୍କୁ ପୁଲିସ ଗିରଫ କରିଥିଲା।

ଥାନାରେ ସୁଧୀର ତାଙ୍କ ଭାଇଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଜଣେ ଥାନା ଅଧିକାରୀ ପହଞ୍ଚି ତାଙ୍କ ସହିତ ବିବାଦ କରିବା ସହିତ ତାଙ୍କ ବିରୋଧରେ ଅଶ୍ଳୀଳ ଭାଷାର ପ୍ରୟୋଗ କରିଥିଲେ। ସୁଧୀର ଏହାର ବିରୋଧ କରିବାରୁ ଥାନା ଅଧିକାରୀ ସୁଧୀରଙ୍କୁ ମାଡ ମାରିଥିଲେ । ଏହାପରେ ସୁଧୀର ଚୁପଚାପ୍ ଥାନାରୁ ପଳାଇ ଆସି ଡିଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ସୁଧୀର କହିଛନ୍ତି, ଏହା ମୋର ଦୁର୍ଭାଗ୍ୟ ଯେ କିଛି ବର୍ଷ ପୂର୍ବେ ଯେତେବେଳେ ଥାନାର ଭବନ ନିର୍ମାଣ କରାଯାଇଥିଲା, ସେତେବେଳେ ତାଙ୍କୁ ସେଲିବ୍ରିଟି ଭାବେ ଉଦଘାଟନ ପାଇଁ ଡକା ଯାଇଥିଲା। ସୁଧୀର କହିଛନ୍ତି, ଯଦି ତାଙ୍କ ସହ ଏପରି ଘଟଣା ଘଟିପାରେ ତେବେ ସାଧାରଣ ନାଗରିକଙ୍କ ସହିତ ପୁଲିସ କେମିତି ବ୍ୟବହାର ଦେଖାଉଥିବ? ତାହା ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର