ମୁଜାଫରପୁର ସେଲ୍‌ଟର୍‌ ହୋମ୍‌ ଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ଲାଗି ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା: ମୁଜାଫରପୁର ସେଲ୍‌ଟର୍‌ ହୋମ୍‌ ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଲାଗି ଗୁରୁବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଦେଶ ଦେଇଛନ୍ତି।

ସିବିଆଇକୁ ତଦନ୍ତ ଭାର ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଚିଫ୍‌ ସେକ୍ରେଟାରି, ପ୍ରିନ୍‌ସିପାଲ୍‌ ହୋମ୍‌ ସେକ୍ରେଟାରି ଏବଂ ଡିଜିପିଙ୍କ ପ୍ରତି ଆଦେଶ ଜାରି କରିଛନ୍ତି।

ଏକ ବିବୃତିରେ କୁମାର କହିଛନ୍ତି: ମୁଜାଫରପୁର ସେଲ୍‌ଟର୍‌ ହୋମ୍‌ରେ ବଡ଼ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟ ପୁଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ନିରପେକ୍ଷ ତଦନ୍ତ ପାଇଁ ସରକାର ବଦ୍ଧପରିକର।

କିନ୍ତୁ, ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରାଯାଉଛି। ଏଭଳି ଗୋଳମାଳିଆ ସ୍ଥିତି ହଟାଇବା ଲାଗି ମୁଖ୍ୟ ସଚିବ, ଗୃହ ସଚିବ ଏବଂ ଡିଜିପିଙ୍କୁ କୁହାଯାଇଛି ସେଲ୍‌ଟର୍‌ ହୋମ୍‌ର ସମଗ୍ର ମାମଲା ସିବିଆଇକୁ ହସ୍ତାନ୍ତର କରିବା ପାଇଁ।

ମାତ୍ର ଦୁଇ ଦିନ ତଳେ ଡିଜିପି କେଏସ୍‌ ଦ୍ୱିବେଦୀ କହିଥିଲେ କି, ମାମଲାର ତଦନ୍ତ ପାଇଁ ବିହାର ପୁଲିସ ଯଥେଷ୍ଟ ଦକ୍ଷ ଥିବାରୁ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ।

୪୪ ଜଣ ଝିଅଙ୍କ ମଧ୍ୟରୁ ୨୯ ଜଣଙ୍କ ସହ ଦୁଷ୍କର୍ମ କରାଯାଇଛି ବୋଲି ଡାକ୍ତରୀ ମାଇନାରୁ ଜଣାପଡ଼ିଛି। ଆଉ ଆଠ ଜଣ ଅନ୍ତେବାସୀଙ୍କର ରିପୋର୍ଟ ଏ ଯାଏଁ ପୁଲିସର ହସ୍ତଗତ ହୋଇ ନାହିଁ।

ସମ୍ବନ୍ଧିତ ଖବର