ମୁମ୍ବାଇ:‌ ମୁଁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଥିଲି। ମୋତେ ଗିରଫ କରାଯିବାର କୌଣସି ଆବଶ୍ୟକତା ନଥିଲା ବୋଲି ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି। କିନ୍ତୁ ତାଙ୍କୁ ଗିରଫ କରିଥିବା ସିବିଆଇ କହିଛି ଯେ ସେ ତଦନ୍ତ ଏଡ଼ାଇବାକୁ ଉଦ୍ୟମ କରୁଥିଲେ। ଏହି ମାମଲ‌ାରେ ପୂର୍ବରୁ ଗିରଫ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ ଗିରଫଦାରୀକୁ କୋର୍ଟ ବେଆଇନ ଘୋଷଣା କରିବା ସହ ତାଙ୍କୁ ଜାମିନ ଦେଇଛନ୍ତି। ନିୟମକୁ ଠିକ୍ ଭାବେ ପାଳନ କରାଯାଇନଥିବାରୁ ସିବିଆଇ ଉପରେ କୋର୍ଟ ବିରକ୍ତ ମଧ୍ୟ ହୋଇଥିଲେ।

Advertisment

ଆଇସିଆଇସିଆଇ ବ୍ୟାଙ୍କରେ ହୋଇଥିବା ୩୨୫୦ କୋଟି ଟଙ୍କା ଋଣ ଜାଲିଆତି ମାମଲାରେ ଗତ ଡିସେମ୍ବର ୨୬ରେ ଧୁତ୍‌ଙ୍କୁ ଗିରଫ କରାଯାଇଥିଲା। ଏହାପରଠାରୁ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ରଦ୍ଦ କରିବା ଏବଂ ଅନ୍ତରୀଣ ଜାମିନ ଲାଗି ସେ ଆବେଦନ କରିଛନ୍ତି। ଜାମିନ ସମ୍ପର୍କିତ ରାୟକୁ କୋର୍ଟ ସ୍ଥଗିତ ରଖିଛନ୍ତି। କୋର୍ଟରେ ମାମଲାର ଶୁଣାଣି ବେଳେ ଧୁତ୍‌ଙ୍କ ଆଇନଜୀବୀ କହିଥିଲେ ଯେ ୨୦୧୭ ଡିସେମ୍ବରରେ ଏହି ମାମଲା ରୁଜୁ ହେବା ପରେ ଧୁତ୍‌ ୩୧ ଥର ସିବିଆଇରେ ହାଜର ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ଗିରଫ କରାଯିବାର ନଥିଲା। ଚାର୍ଜସିଟ୍‌ ଦାଖଲ ବେଳେ ମଧ୍ୟ ସେ ହାଜର ହୋଇଥିଲେ ଏବଂ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ସେ କେଉଁଠି ଅସହଯୋଗ କଲେ ବୋଲି ତାଙ୍କ ଆଇନଜୀବୀ ପ୍ରଶ୍ନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଦୁଇଟି ସମନରେ ‌ସେ ହାଜର ହୋଇପାରିନଥିଲେ। ତାହାକୁ ସିବିଆଇ ଅସହଯୋଗ ବୋଲି ଭାବୁଛି।

ସିବିଆଇ ପକ୍ଷରୁ କୁହାଯାଇଛି ଯେ ଉଭୟ କୋଚ୍ଚର ଦମ୍ପତି ଓ ଧୁତ୍‌ ତଦନ୍ତକୁ ବାଟବଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଅତି ସଂକ୍ଷିପ୍ତ ଉତ୍ତର ଦେଉଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବା ଲାଗି ଉଦ୍ୟମ କରାଯାଇଥିଲା। ସେଥିପାଇଁ ଧୁତ୍‌ଙ୍କୁ ସମନ ଜାରି କରାଗଲା, କିନ୍ତୁ ସେ ଆସିନଥିଲେ। ଯେହେତୁ କମ୍ ଦିନ ପାଇଁ କୋଚ୍ଚରଙ୍କୁ ଜେରା କରିବା ସୁଯୋଗ ମିଳିଥିଲା ତେଣୁ ତାଙ୍କ ସହ ଧୁତ୍‌ଙ୍କୁ ସିବିଆଇ ସାମ୍ନାସାମ୍ନି ଜେରା କରିବାକୁ ଚାହୁଥିଲା।