ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହିଲେ ଭଜି, ଟ୍ୱିଟ୍ କରି ସିଏସକେକୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସିଜିନ ପାଇଁ ଛୋଟ ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ସହ କ୍ରିକେଟ୍ ଯାତ୍ରା ଶେଷ କରିଛନ୍ତି  ଅଭିଜ୍ଞ ଅଫ୍ ସ୍ପିନର ହରଭଜନ ସିଂହ । ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ସେ ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହୁଛନ୍ତି । ଦଳ ସହ ତାଙ୍କର ହୋଇଥିବା ଚୁକ୍ତି ଶେଷ ହୋଇଛି । ସେ ଯେତିକି ଦିନ ସିଏସକେ ସହ ରହିଲେ ତାହା ତାଙ୍କ ପାଇଁ ବହୁତ ଭଲ ଅନୁଭୂତି ଥିଲା । ଏହାକୁ ସେ ସବୁଦିନ ପାଇଁ ମନେରଖିବେ ବୋଲି ହରଭଜନ ଟ୍ୱିଟ୍ କରି ଲେଖିଛନ୍ତି ।

ଏହି ୪୦ ବର୍ଷୀୟ  ଅଫ୍ ସ୍ପିନର ୨୦୧୮ ମସିହାରୁ ସିଏସକେ ଟିମ୍ ସହ ରହିଥିଲେ । ତାଙ୍କ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରିବା ପରେ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ନିଲାମରେ ୨ କୋଟି ଟଙ୍କା ଦେଇ କିଣିଥିଲା । ସେହିବର୍ଷ ସେ ୧୩ଟି ମ୍ୟାଚ୍ ଖେଳି ମୋଟ୍ ୭ଟି ୱିକେଟ୍ ନେଇଥିଲେ । ଏହା ପରବର୍ଷ ମଧ୍ୟ ସେ ଦଳ ପାଇଁ ଚମତ୍କାର ବୋଲିଂ କରି ୧୧ଟି ମ୍ୟାଚରେ ୧୬ଟି ୱିକେଟ୍ ହାତେଇଥିଲେ ।

ଗତବର୍ଷ କୋଭିଡ୍ କାରଣରୁ ଆଇପିଏଲ୍ ଭାରତରେ ଆୟୋଜନ ହୋଇପାରି ନ ଥିଲା । ବିସିସିଆଇ ଏହାକୁ ୟୁଏଇରେ ଆୟୋଜନ କରିଥିଲା । ସବୁଦଳର ଖେଳାଳିମାନେ ୟୁଏଇ ଯାଇ ସେଠାରେ ମ୍ୟାଚ୍ ଖେଳିଥିଲେ । ହେଲେ ବ୍ୟକ୍ତିଗତ କାରଣ ଦର୍ଶାଇ ହରଭଜନ ସିଏସକେ ଟିମ୍ ସହ ରହି ନଥିଲେ । ଗତବର୍ଷ ହରଭଜନଙ୍କ ବିନା ସିଏସକେ ଆଇପିଏଲ୍ ଖେଳିଥିଲା । ଏବେ ହରଭଜନ ଚେନ୍ନାଇ ସୁପର କିଙ୍ଗସ୍ ସହ ନିଜର ଯାତ୍ରା ଶେଷ କରିଛନ୍ତି। ଆଗାମୀ ଦିନରେ ସେ କେଉଁ ଦଳ ସହ ରହିବେ ଓ ଆଇପିଏଲ୍ ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି ।

ସମ୍ବନ୍ଧିତ ଖବର