ଲଣ୍ଡନ୍‌: ମୋ ବାପା ରାଜା ହେବେ ବୋଲି ଖେଳପଡ଼ିଆରେ ରାଜା ତୃତୀୟ ଚାର୍ଲସ୍‌ଙ୍କ ନାତି ତଥା ଯୁବରାଜ ୱିଲିୟମ୍‌ଙ୍କ ପୁତ୍ର ୯ ବର୍ଷିୟ ରାଜକୁମାର ଜର୍ଜ ତାଙ୍କର ଜଣେ ସ୍କୁଲ୍‌ ସାଥୀକୁ କହିଥିବା କଥା ‌ରଜାଘର ଲେଖିକା କେଟି ‌ନିକୋଲ୍‌ ତାଙ୍କର ନୂତନ ପୁସ୍ତକ ‘ଦି ନିଉ ରୟାଲ୍‌ସ୍‌’ରେ ଉଲ୍ଲେଖ କରିଛନ୍ତି ବୋଲି ସମ୍ବାଦପତ୍ର ‘ଦି ସନ୍‌’ ରିପୋର୍ଟ କରିଛି।

Advertisment

ନୂତନ ପୁସ୍ତକ ‘ଦି ନିଉ ରୟାଲ୍‌ସ୍‌’ରେ ଲେଖିକା ଲେଖିଛନ୍ତି, ପିଲାଟିଏ ହୋଇ ସୁଦ୍ଧା ଜର୍ଜ ବୁଝି ସାରିଛନ୍ତି ଯେ, ତାଙ୍କ ବାପା ଦିନେ ରାଜା ହେବେ। ସ୍କୁଲ୍‌ରେ ସାଙ୍ଗମାନଙ୍କ ସହିତ ଗପିବା ବେଳେ ସେ କହିଛନ୍ତି: ହୁସିଆର୍‌, ଦେଖିବ ଦିନେ ନା ଦିନେ ମୋ ବାପା ରାଜା ହେବେ।

ନିକୋଲି ଆହୁରି ମଧ୍ୟ ଲେଖିଛନ୍ତି, ଦିନେ ସେ ବି ରାଜା ହେବେ ବୋଲି ଜର୍ଜ ଏବେଠୁ ବୁଝିସାରିଥିବାରୁ ସ୍କୁଲ୍‌ରେ ସାଙ୍ଗସାଥୀଙ୍କ ସହିତ କଥାରେ କଥାରେ ସେ ଏମିତି କହିଛନ୍ତି। ପିଲାମାନଙ୍କୁ, ବିଶେଷକରି ରାଜକୁମାର ଜର୍ଜଙ୍କୁ ୱିଲିୟମ୍‌ ଏବଂ କେଟ୍‌ ଜଣାଇ ଦେଇଛନ୍ତି କି, ସେ କିଏ ଏବଂ ଭବିଷ୍ୟତରେ କ’ଣ ହେବେ। ଭବିଷ୍ୟତର କର୍ତ୍ତବ୍ୟବୋଧ ବିଷୟରେ ଧାରଣା ଦେବା ନିମନ୍ତେ ସେମାନେ ପିଲାମାନଙ୍କୁ ଏଭଳି କହି ଲାଳନପାଳନ କରୁଛନ୍ତି।

publive-image Image Courtesy of Heart

ଦିନେ ସେ ଇଂଲଣ୍ଡ୍‌ର ରାଜା ହେବ ବୋଲି ଯୁବରାଜ ୱିଲିୟମ୍‌ ଏବଂ ପ୍ରିନ୍‌ସେସ୍‌ ଅଫ୍‌ ୱେଲ୍‌ଜ୍‌ କେଟ୍‌ ମିଡଲ୍‌ଟନ୍‌ ଜର୍ଜଙ୍କୁ କେତେ ବର୍ଷ ତଳୁ କହିସାରିଛନ୍ତି ବୋଲି ଲେଖକ ରବର୍ଟ ଲେସି ମଧ୍ୟ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ। ସେତେବେଳେ ବୋଧହୁଏ ଜର୍ଜଙ୍କୁ ୭ ବର୍ଷ ବୟସ ହୋଇଥିଲା।

ପୂର୍ବରୁ ରାଜକୁମାର ଜର୍ଜ ପଢ଼ା ବାବଦରେ ବର୍ଷକୁ ୧୯,୦୦୦ ପାଉଣ୍ଡ୍‌ (ଭାରତୀୟ ମୁଦ୍ରାରେ ପ୍ରାୟ ୧୬, ୫୬, ୭୧୯ ଟଙ୍କା) ନେଉଥିବା ଲଣ୍ଡନ୍‌ ପ୍ରେପ୍‌ ସ୍କୁଲ୍‌ ‘ଟୋମାସ୍‌ସ୍‌ ବ୍ୟାଟର୍‌ସି’ରେ ପଢୁଥିଲେ।

ୱିଲିୟମ୍‌ ଏବଂ କେଟ୍‌ ୱିନ୍‌ସର୍‌କୁ ସ୍ଥାନାନ୍ତରିତ ହେବା ପରେ ରାଜକୁମାର ଜର୍ଜ, ତାଙ୍କ ସାତ ବର୍ଷୀୟ ଭଉଣୀ ରାଜଜେମା ଚାର୍ଲୋଟ୍‌ ଓ ୪ ବର୍ଷୀୟ ଭାଇ ରାଜକୁମାର ଲୁଇ ଏବେ ବର୍କସାୟର୍‌ ଅନ୍ତର୍ଗତ ଆସ୍‌କଟ୍‌ ନିକଟ ଲାମ୍‌ବ୍ରୁକ୍‌ ସ୍କୁଲ୍‌ରେ ଅଧ୍ୟୟନ କରୁଛନ୍ତି।