ମୋ ଝିଅକୁ ନ୍ୟାୟ ମିଳିଲା : ନିର୍ଭୟାର ମା’ ଆଶାଦେବୀ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିବା ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ବେଳେ ଫାଶୀ ଦିଆଯିବ । ଦିଲ୍ଲୀର ଅତିରିକ୍ତ ସେସନ୍ସ ଜଜ ସତୀଶ କୁମାର ଆରୋରା ଏହି ରାୟ ଶୁଣାଇଛନ୍ତି । ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ନିର୍ଭୟାର ମା’ ଆଶାଦେବୀ କହିଛନ୍ତି ଯେ ତାଙ୍କ ଝିଅ ନ୍ୟାୟ ପାଇଲା । ଏହି ରାୟ ନ୍ୟାୟ ବ୍ୟବସ୍ଥା ଉପରେ ଲୋକମାନଙ୍କ ଭରଷାକୁ ସୁଦୃଢ କରିବ । ଏହା ମଧ୍ୟ ଦେଶର ମହିଳାମାନଙ୍କୁ ସଶକ୍ତ କରିବ । ସେହିପରି ନିର୍ଭୟାର ବାପା ବଦ୍ରିନାଥ ସିଂ କହିଛନ୍ତି ଯେ ଏହି ରାୟ ଏପରି ଅପରାଧ ଘଟାଉଥିବା ଲୋକଙ୍କ ମନରେ ଭୟ ସଂଚାର କରିବ । କୋର୍ଟଙ୍କ ଏହି ରାୟକୁ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ ସ୍ୱାଗତ କରିଛନ୍ତି । ସେହିପରି ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ ଶେଷରେ ଭାରତର ଝିଅକୁ ନ୍ୟାୟ ମିଳିଲା । ତେବେ ଦୋଷୀମାନଙ୍କ ଓକିଲ ଏପି ସିଂ କହିଛନ୍ତି ଯେ ସେ ସୁପ୍ରିମକୋର୍ଟରେ ଏକ କ୍ୟୁରେଟିଭ ପିଟିସନ ଦାଖଲ କରିବେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇଦିଆଯାଇଥିଲା । ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତମାନଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ । ୫ ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧିତ ଖବର