ଇନ୍ଦୋର: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପରିବାର, ପୁଲିସକୁ ୧୭ଦିନ ଧରି ଭୂଆଁ ବୁଲାଇ ଏ ରାଜ୍ୟରୁ ସେ ରାଜ୍ୟକୁ ଲୁଚି ବୁଲୁଥିବା ଅଭିଯୁକ୍ତ ସୋନମ ରଘୁବଂଶୀ ଶେଷରେ ପୁଲିସ ହାତରେ ଧରାପଡିଛି । କାହିଁକି ମାରିଲା ସ୍ବାମୀ ରାଜାଙ୍କୁ ? କାହା ସହ ମିଶି ମାରିଲା ? କେମିତି ରଚିଥିଲା ହତ୍ୟା ଷଡ୍‌ଯନ୍ତ୍ର ? ଗିରଫ ପରେ ଏନେଇ ଟିକିନିଖି ସବୁ କଥା ପୁଲିସ ଆଗରେ କହିଛି ଅଭିଯୁକ୍ତ । ସେପଟେ ଝିଅ ପୁଲିସ ହାତରେ ଧରା ପଡ଼ିବା ପରେ ମୁହଁ ଖୋଲିଛନ୍ତି ସୋନମଙ୍କ ବାପା । କହିଲେ ମୋ ଝିଅର କିଛି ଭୁଲ ନାହିଁ, ସେ ନିର୍ଦ୍ଦୋଷ । ଏହି ଘଟଣାର ସିବିଆଇ ତଦନ୍ତ ହେଉ । 

Advertisment

ଇନ୍ଦୋରର ପ୍ଲାଏଉଡ୍‌ ବ୍ୟବସାୟୀଙ୍କ ଝିଅ ସହ ବିବାହ କରିଥିଲେ ରାଜା ରଘୁବଂଶୀ । ଗତ ମେ ୧୧ ତାରିଖରେ ସୋନମ୍‌ ଓ ରାଜାଙ୍କ ବାହାଘର ହୋଇଥିଲା । ମେ ୨୦ରେ ହନିମୁନ୍‌ ପାଇଁ ମେଘାଳୟ ଯାଇଥିଲେ । ମେ ୨୩ରେ ଉଭୟ ନିଖୋଜ ହୋଇଥିବା ଖବର ଆସିଥିଲା । ସୋନମ୍‌ ନିଖୋଜ ଥିବା ସହ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକ ଅପହରଣ ମାମଲା ରୁଜୁ କରିଥିଲେ । ଜୁନ୍‌ ୨ରେ ଏକ ଖାଇ ନିକଟରୁ ରାଜାଙ୍କ ଗଳିତ ମୃତଦେହ ମିଳିଥିଲା । 

ସ୍ଥାନୀୟ ହୋଟେଲ ଓ ଟୁରିଷ୍ଟ ଗାଇଡ୍‌ଙ୍କଠୁ ପାଇଥିବା ସୂଚନା ଆଧାରରେ ଛାନଭିନ କରିଥିଲା ମେଘାଳୟ ପୁଲିସ  । ନିଖୋଜ ଅଭିଯୋଗର ୮ଦିନ ପରେ ଏକ ଖାଇରୁ ମିଳିଥିଲା ରାଜାଙ୍କ ମୃତଦେହ । ଘଟଣାସ୍ଥଳରୁ ମିଳିଥିବା କିଛି ଜିନିଷ ସୋନମଙ୍କ ଉପରେ ସନ୍ଦେହ ବଢ଼ାଇଥିଲା । ଏସ୍‌ଆଇଟି ଟିମ୍‌ ଗଠନ କରାଯାଇ ତଦନ୍ତକୁ ତ୍ବରାନିତ୍ବ କରିଥିଲା ପୁଲିସ । ଘଟଣା ୧୭ଦିନ ପରେ ଗାଜିପୁରର ଏକ ଢାବାରୁ ଧରା ପଡିଛି ସୋନମ । ଗାଜିପୁର ଦେଇ ବାରଣାସୀରେ ପହଞ୍ଚିବା ପରେ ନେପାଳ ଯିବାକୁ ଯୋଜନା କରିଥିଲେ ଅଭିଯୁକ୍ତ । ତେବେ ଢାବାରେ  ପହଞ୍ଚି ଘରକୁ ଫୋନ୍‌ କରିବା ଘଟଣା ମାମଲାରେ ନୂଆ ମୋଡ଼ ନେଇଥିଲା ।