ନୂଆଦିଲ୍ଲୀ: "ମା’ଙ୍କୁ ଅପମାନିତ କରିବେ ବୋଲି କଳ୍ପନା କରିନଥିଲି।" କିଛି ଦିନ ତଳେ ବିହାରର ଦରଭଙ୍ଗାରେ ଆୟୋଜିତ କଂଗ୍ରେସ-ଆରଜେଡି 'ଭୋଟର ଅଧିକାର ରାଲି'ରେ ତାଙ୍କ ମାଆଙ୍କୁ କରାଯାଇଥିବା ଅପମାନ ଉପରେ କଡ଼ା ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିହାରରେ ମହିଳା ଉଦ୍ୟୋଗୀମାନଙ୍କୁ ସହଜ ପାଣ୍ଠି ଯୋଗାଇବା ପାଇଁ ବିହାର 'ରାଜ୍ୟ ଜୀଭିକା ନିଧି ସାଖ୍ ସହକାରୀ ସଂଗଠନ ଲିମିଟେଡ୍' ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି। 

Advertisment

"ମା’ ହେଉଛନ୍ତି ଆମର ବିଶ୍ୱ, ମା’ ହେଉଛନ୍ତି ଆମର ସଂସ୍କାର। କିଛି ଦିନ ପୂର୍ବରୁ ବିହାରରେ ଯାହା ଘଟିଥିଲା, ତାହା ନା ମୁଁ କଳ୍ପନା କରିଥିଲି, ନା ବିହାରର କୌଣସି ଭାଇ କିମ୍ବା ଭଉଣୀ ଏହା କଳ୍ପନା କରିଥିବେ, ନା ଭାରତର କୌଣସି ନାଗରିକ ଏହା ଭାବିଥିବେ" ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସେ ଆହୁରି କହିଛନ୍ତି, "ବିହାରରେ ଆରଜେଡି-କଂଗ୍ରେସର ମଞ୍ଚରୁ ମୋ ମା’ଙ୍କୁ ଅପମାନିତ କରାଯାଇଥିଲା। ଏହା କେବଳ ମୋ ମାଆଙ୍କ ପ୍ରତି ଅପମାନ ନୁହେଁ, ବରଂ ଭାରତର ପ୍ରତ୍ୟେକ ମାଆ, ଭଉଣୀ ଏବଂ ଝିଅଙ୍କ ପ୍ରତି ଅପମାନ। ମୋ ହୃଦୟରେ ଯେଉଁ ଯନ୍ତ୍ରଣା ଅଛି ତାହା କେବଳ ମୁଁ ଜାଣିଛି। ବିହାରର ଲୋକଙ୍କ ହୃଦୟରେ ମଧ୍ୟ ସେହି ଯନ୍ତ୍ରଣା ଅଛି। ପ୍ରତ୍ୟେକ ମାଆ ଏବଂ ଝିଅଙ୍କ ସମ୍ମାନକୁ ଆଘାତ ଦିଆଯାଇଛି। ବିହାରର ପରମ୍ପରାରେ, ମା'ଙ୍କ ପ୍ରତି ସମ୍ମାନ ସର୍ବୋପରି ଏବଂ ଏପରି ଅପମାନଜନକ ଶବ୍ଦ ଶୁଣି ସାରା ଦେଶରେ କ୍ରୋଧ ପ୍ରକାଶ ପାଇଛି। ଭାରତୀୟ ସଂସ୍କୃତିରେ ମା'ଙ୍କୁ ଦେବତାଙ୍କ ମାନ୍ୟତା ଦିଆଯାଇଛି ଏବଂ ଏପରି ଶବ୍ଦ ଆମ ସଭ୍ୟତା ଏବଂ ସଂସ୍କୃତି ଉପରେ ଆକ୍ରମଣ।"

ମନରେ ଥିବା ଯନ୍ତ୍ରଣା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଏବେ ମୋ ମାଆ ଏହି ଦୁନିଆରେ ନାହାନ୍ତି। ମୋ ମାଆଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ନଥିଲା, ତଥାପି ତାଙ୍କୁ ଅପମାନିତ କରାଯାଇଛି। ରାଜପରିବାରରେ ଜନ୍ମିତ ରାଜକୁମାରମାନେ ଜଣେ ଅବହେଳିତ ମାଆ ଏବଂ ତାଙ୍କ ପୁଅର ସଂଘର୍ଷର ଦୁଃଖ ବୁଝିପାରିବେ ନାହିଁ। ଏମାନେ ସୁନା ଏବଂ ରୂପା ଚାମଚ ସହିତ ଜନ୍ମ ହୋଇଛନ୍ତି। ସେମାନେ ଭାବୁଛନ୍ତି ଯେ, ଯେହେତୁ ସେମାନେ ରାଜ ପରିବାରରେ ଜନ୍ମ ନେଇଛନ୍ତି, ତେଣୁ ବିହାରରେ ସେମାନେ ହିଁ  କ୍ଷମତା ହାତେଇବେ। କିନ୍ତୁ ଆପଣ ଜଣେ ଅବହେଳିତ ମାଆର ପୁଅକୁ ଆଶୀର୍ବାଦ ଦେଇଛନ୍ତି ଏବଂ ତାକୁ ପ୍ରଧାନ ସେବକ କରିଛନ୍ତି। ସେମାନେ ଏହାକୁ ହଜମ କରିପାରୁନାହାନ୍ତି। ମୋ ପାଇଁ ସେମାନେ ବ୍ୟବହାର କରିଥିବା ଅପଶବ୍ଦର ତାଲିକା ବହୁତ ଲମ୍ବା। କେତେବେଳେ ସେମାନେ ମୋତେ ନୀଚ (ଘୃଣ୍ୟ), କେତେବେଳେ ସାପ ତ କେତେବେଳେ ମୋତେ 'ତୁ' କହି ସମ୍ବୋଧନ କରୁଛନ୍ତି।" ରାହୁଲ ଗାନ୍ଧୀ ଏକ ରାଲିରେ ପ୍ରଧାନମନ୍ତ୍ରୀଙ୍କୁ "ତୁ" ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ରିଜଭିକୁ ପୁଲିସ ଗିରଫ କରିଥିଲା। ଅଗଷ୍ଟ ୨୭ରେ ଦରଭଙ୍ଗାରେ ବିରୋଧୀଙ୍କ ରାଲି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ରିଜବି। ଏହି ସମୟରେ ରାହୁଲ କିମ୍ବା ତେଜସ୍ୱୀ ମଞ୍ଚରେ ଉପସ୍ଥିତ ନଥିଲେ। ଜାଣି ଶୁଣି ବିରୋଧୀ ଏଭଳି କରିଥିବା ଦାବି କରିଥିଲା ବିଜେପି। ବାରମ୍ବାର ବିରୋଧୀ ଏଭଳି ବ୍ୟକ୍ତିଗତ ଆକ୍ରମଣ କରୁଥିବା ଦେଖି ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି।