ବେଙ୍ଗାଲୁରୁ: ପୂର୍ବତନ କର୍ଣ୍ଣାଟକ ପୁଲିସ ମୁଖ୍ୟ ଓମ ପ୍ରକାଶ ତାଙ୍କ ପତ୍ନୀଙ୍କଠାରୁ ଜୀବନ ପ୍ରତି ବିପଦ ଥିବାରୁ ଯାଇ ତାଙ୍କ ଝିଅ ଘରେ ରହୁଥିଲେ। ଏପରି ଏକ ଚାଞ୍ଚଲ୍ୟକାରୀ କଥାର ଖୁଲାସା କରିଛନ୍ତି ପୀଡ଼ିତ ଓମ୍‌ ପ୍ରକାଶଙ୍କ ପୁଅ କାର୍ତ୍ତିକେଶ। ପତ୍ନୀ ପଲ୍ଲବୀଙ୍କ ଦ୍ୱାରା ତାଙ୍କୁ ଛୁରୀ ଭୁସି ହତ୍ୟା କରାଯିବାର କିଛି ଦିନ ପୂର୍ବରୁ ବାପା ତାଙ୍କ ଭଉଣୀଙ୍କ ଘରେ ଯାଇ ରହୁଥିଲେ ବୋଲି କାର୍ତ୍ତିକେଶ କହିଛନ୍ତି।

Advertisment

ଗତକାଲି ତାଙ୍କ ବେଙ୍ଗାଲୁରୁ ଘରେ ୬୮ ବର୍ଷୀୟ ଓମ ପ୍ରକାଶଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ​​ଏବଂ ତାଙ୍କ ଶରୀର ପାଖରେ ଏକ ଭଙ୍ଗା ବୋତଲ ଏବଂ ଏକ ଛୁରୀ ଥିଲା ବୋଲି କାର୍ତ୍ତିକେଶ ଅପରାଧ ଦୃଶ୍ୟ ବର୍ଣ୍ଣନା କରି କହିଛନ୍ତି।

ସୂତ୍ର ଅନୁଯାୟୀ, ଅବସରପ୍ରାପ୍ତ ଅଧିକାରୀଙ୍କ ପତ୍ନୀ ପଲ୍ଲବୀ ହେଉଛନ୍ତି ମୁଖ୍ୟ ସନ୍ଦିଗ୍ଧ  ଏବଂ ଏହି ହତ୍ୟାକାଣ୍ଡରେ ଝିଅ କୃତିଙ୍କର କୌଣସି ଭୂମିକା ଅଛି କି ନାହିଁ ତାହା ଯାଞ୍ଚ କରୁଛି ପୁଲିସ୍‌। ମା' ଏବଂ ତାଙ୍କ ଝିଅଙ୍କୁ ପୁଲିସ ୧୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

କାର୍ତ୍ତିକେଶ ପୁଲିସକୁ କହିଛନ୍ତି ଯେ ତାଙ୍କ ମାଆ ତାଙ୍କ ବାପାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ। ତାଙ୍କ ଜୀବନ ପ୍ରତି ଭୟଭୀତ ହୋଇ ଓମ ପ୍ରକାଶ ତାଙ୍କ ଭଉଣୀ ସରିତା କୁମାରୀଙ୍କ ଘରକୁ ଚାଲିଯାଇଥିଲେ। କିନ୍ତୁ ତାଙ୍କ ହତ୍ୟାର ମାତ୍ର ଦୁଇ ଦିନ ପୂର୍ବରୁ, କୃତି ତାଙ୍କୁ ଭେଟି ଘରକୁ ଫେରିବାକୁ ଚାପ ପକାଇଥିଲେ। ସେ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଘରକୁ ଆଣିଥିଲେ ବୋଲି କାର୍ତ୍ତିକେଶ ତାଙ୍କ ଅଭିଯୋଗରେ କହିଛନ୍ତି।