ନୂଆଦିଲ୍ଲୀ: ରବିବାର ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ଜୀବନ,ମୋ ଯୋଗ ପ୍ରତିଯୋଗିତାର ଘୋଷଣା କରିଛନ୍ତି ।
କରୋନା ଭାଇରସ୍ ସଂକ୍ରମଣ ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ସମ୍ଭନ୍ଧରେ ବୁଝାଇ ମୋଦୀ କହିଛନ୍ତି, ଏଭଳି ସଂକଟ ସମୟରେ ବିଶ୍ୱର ଅନେକ ନେତା ମୋତେ ଯୋଗ ଏବଂ ଆୟୁର୍ବେଦ ଉପରେ ଅନେକ ପ୍ରଶ୍ନ ପଚାରିଛନ୍ତି । ଯୋଗ ଏବଂ ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଯେଉଁମାନେ ପୂର୍ବରୁ କେବେ ଯୋଗ କରି ନଥିଲେ ସେମାନେ ବି ବିଭିନ୍ନ ଅନଲାଇନ୍ ଭିଡିଓ ଦେଖି ଯୋଗ କରୁଛନ୍ତି । ଏହି ଭାଇରସ୍ ଆମର ରେସପିରେଟୋରୀ ସିଷ୍ଟମ୍କୁ ଅଧିକ ପ୍ରଭାବିତ କରିଥାଏ। ଯୋଗରେ ରେସପିରେଟୋରୀ ସିଷ୍ଟମ୍କୁ ମଜବୁତ କରିବାର ଅନେକ ଆସନ ରହିଛି ।
ତେବେ ଲୋକଙ୍କ ମନରେ ଯୋଗର ଆଗ୍ରହକୁ ବଢାଇବା ପାଇଁ ଆୟୁଷ୍ ମନ୍ତ୍ରାଳୟ ପକ୍ଷରୁ ‘My Life, My Yoga’ ନାମକ ଏକ ଅନ୍ତଃରାଷ୍ଟ୍ରୀୟ ଭିଡ଼ିଓ ବ୍ଲଗ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । କେବଳ ଭାରତ ନୁହେଁ ଦୁନିଆର କୋଣ ଅନୁକୋଣର ପ୍ରତିଟି ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଆପଣଙ୍କୁ ନିଜର ୩ ମିନିଟ୍ର ଏକ ଭିଡିଓ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ଭିଡିଓରେ ଆପଣଙ୍କୁ ଯୋଗ, ଆସନର ମୂଦ୍ରା ଦେଖାଇବା ସହ ଯୋଗ ଆପଣଙ୍କ ଜୀବନରେ କେଉଁପ୍ରକାର ପରିବର୍ତ୍ତନ ଆଣିଛି ସେ ବିଷୟରେ କହିବାକୁ ପଡ଼ିବ।