ଜୟପୁର: ପ୍ରାର୍ଥୀ ତାଲିକାରେ ନାଁ ନ ଦେଖି ମୋ ମାଆ, ଭଉଣୀ ଓ କାର୍ଯ୍ୟକର୍ତ୍ତାମାନେ କାନ୍ଦି କାନ୍ଦି ଫୋନ୍‌ କଲେ ବୋଲି ରାଜସ୍ଥାନ ବିଧାନ ସଭା ନିର୍ବାଚନ ପାଇଁ ଦଳୀୟ ଟିକେଟ୍‌ ପାଇବାରୁ ବଞ୍ଚିତ ଜଣେ ‘ବିଜେପି’ ବିଧାୟକ ସଭାମଞ୍ଚରେ ସମର୍ଥକମାନଙ୍କୁ ଲୁହ ଛଳ ଛଳ ଆଖିରେ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ପ୍ରାର୍ଥୀ ତାଲିକାରେ ନାଁ ନ ଥିବା ‘ବିଜେପି’ ନେତା ହେଉଛନ୍ତି ସମ୍ପ୍ରତି ଚିତ୍ତୋରଗଡ଼ର ବିଧାୟକ ଥିବା ଚନ୍ଦ୍ରଭାନ ସିଂହ ଆକ୍ୟା। ଆକ୍ୟାଙ୍କ ପରିବର୍ତ୍ତେ ସେଠାରୁ ‘ବିଜେପି’ ନରପତ ସିଂହ ରାଜ୍‌ୱିଙ୍କୁ (ସେଖାୱତ୍‌) ପ୍ରାର୍ଥୀ କରାଇଛି। ନରପତ ସିଂହ ହେଉଛନ୍ତି ଭାରତର ପୂର୍ବତନ ଉପରାଷ୍ଟ୍ରପତି ଭୈରୋଁ ସିଂହ ସେଖାୱତ୍‌ଙ୍କ ଜାମାତା।

publive-image Image Courtesy of Madhyamam

୨୦୧୮ ବିଧାନସଭା ନିର୍ବାଚନରେ ଚନ୍ଦ୍ରଭାନ ସିଂହ ୧ ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ। ଟିକେଟ୍‌ ପ୍ରାପ୍ତିରୁ ବଞ୍ଚିତ ହୋଇଛନ୍ତି ବୋଲି ସମର୍ଥକମାନଙ୍କୁ କହିବା ବ‌େଳେ ଚନ୍ଦ୍ରଭାନ ସିଂହ ଆକ୍ୟଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା। କୋହଭରା କଣ୍ଠରେ ସେ କହିଲେ, ଅନେକ ବର୍ଷ ଧରି ଆପଣମାନଙ୍କର ସେବା କଲି। ସବୁବେଳେ ଜନତା ପାଖରେ ଠିଆ ହୋଇଛି। ରାତି ୨ଟା ହେଉ କି, ୩ଟା ହେଉ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଥାନାରେ ହାଜର ହୋଇଛି। ଆପଣମାନଙ୍କ ପାଖରୁ ଯେଭଳି ସମର୍ଥନ ପାଇଛି ତାହା ଅବିଶ୍ବସନୀୟ। ତାଲିକା ବାହାରିବା ପରେ ମୋ ମାଆ, ଭଉଣୀମାନେ ଓ କାର୍ଯ୍ୟକର୍ତ୍ତାମାନେ ଯିଏ ଫୋନ୍‌ କଲେ, ସମସ୍ତେ କାନ୍ଦୁଥିଲେ।

ପୁଣି ପ୍ରକୃତିସ୍ଥ ହୋଇ ସେ କହିଲେ, ଯେଉଁ ଯେଉଁ ସ୍ଥାନରେ ଆପଣଙ୍କ ଲୁହ ପଡ଼ିଛି, ସେଠାରେ ମୁଁ ମୋ ରକ୍ତ ଝରାଇବି। ଧୈର୍ଯ୍ୟ ଧରନ୍ତୁ। ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ। ମୋ ପ୍ରତି ଯଦି ଶ୍ରଦ୍ଧା ଅଛି ତେବେ କାହାରିକୁ ଗାଳିଗୁଲଜ କରନ୍ତୁ ନାହିଁ, ଧୈର୍ଯ୍ୟ ଧରନ୍ତୁ।