ଲିମା: ପେରୁ ପୁଲିସ ଜଣେ ୨୬ ବର୍ଷୀୟ ପୂର୍ବତନ ଫୁଡ୍ ଡେଲିଭରି ବୟ ପାଖରୁ ଏକ ୮୦୦ ବର୍ଷର ପୁରୁଣା ମମି ଜବତ କରିଛି। ଯୁବକ ଜଣକ ଅନେକ ବର୍ଷ ହେଲା ଏହି ମମିକୁ ନିଜ ପାଖରେ ରଖିଥିବା ଓ ତାକୁ ନିଜର ଆଧ୍ୟାତ୍ମିକ ଗାର୍ଲଫ୍ରେଣ୍ଡ ମାନୁଥିବା ଦାବି କରିଛି। ଜୁଲିଓ ସିଜର ବର୍ମେଜୋ ନାମକ ଯୁବକ ଜଣକ ପୂର୍ବରୁ ଖାଦ୍ୟ ଡେଲିଭରି ଦେବା ପାଇଁ ବ୍ୟବହାର କରୁଥିବା ଆଇସୋଥର୍ମାଲ ବ୍ୟାଗ୍ ଭିତରେ ମମିକୁ ପୂରାଇ ବୁଲୁଥିଲା। ମମିକୁ ସେ ‘ଜୁଆନିତା’ ବୋଲି କହୁଥିବା ବେଳେ ଏହାକୁ ସେ ନିଜର ଆଧ୍ୟାତ୍ମିକ ଗାର୍ଲଫେଣ୍ଡ ବୋଲି କହିଛି। ସେ କହିଛି ଯେ ସେ ଏହି ମମିର ଯତ୍ନ ନିଏ ଏବଂ ରାତିରେ ଏହି ମମି ପାଖରେ ଶୁଏ। ପ୍ରାୟ ୩୦ ବର୍ଷ ତଳେ ତା’ର ବାପା ମମିଟିକୁ ଆଣିଥିଲେ ବୋଲି ଯୁବକ ଜଣକ ଦାବି କରିଛି। ସେ ଏପରି କହୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।
ପେରୁର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମମିଟି ଏକ ନାରୀର ନୁହେଁ, ଏକ ୪୫ ବର୍ଷ ବୟସ୍କ ପୁରୁଷର। ଏହା ଏକ ଜୁଆନିତା ନୁହେଁ, ଜୁଆନ। ଯୁବକ ଜଣକ ମମିକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗକୁ ଅସ୍ବୀକାର କରିଛି। ତେବେ କାହିଁକି ମମିକୁ ବ୍ୟାଗ୍ରେ ଧରି ବୁଲୁଥିଲ ବୋଲି ପଚାରିବାରୁ ସାଙ୍ଗମାନେ ଦେଖିବାକୁ ଚାହିବାରୁ ଆଣିଥିଲି ବୋଲି ସେ ଉତ୍ତର ଦେଇଛି।