ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଜେଲରୁ ମୁକୁଳିଛନ୍ତି। ଆପ୍ ନେତା ମନୀଷ ସିସୋଦିଆ, ସଞ୍ଜୟ ସିଂହଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ତାଙ୍କୁ ସ୍ୱାଗତ କରିଥିଲେ। ଜେଲରୁ ବାହାରିବା ପରେ ସେ ଆପ୍ କର୍ମୀଙ୍କୁ ସମ୍ବୋଧିତ କରି କହିଥିଲେ, ସେ ଜଣେ ସତ୍ୟବାଦୀ ହୋଇଥିବାରୁ ଭଗବାନ ତାଙ୍କୁ ସମର୍ଥନ କରିଛନ୍ତି। ଜେଲରୁ ବାହାରିବା ପରେ ମୋର ଶକ୍ତି ୧୦୦ ଗୁଣା ବୃଦ୍ଧି ପାଇଛି ବୋଲି କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି, ମୋ ଜୀବନ ଦେଶ ପାଇଁ ସମର୍ପିତ। ମୋ ଜୀବନର ପ୍ରତିଟି ମୁହୂର୍ତ୍ତରେ ଦେଶ ପାଇଁ ଚିନ୍ତା କରୁଛି। ମୁଁ ଜୀବନରେ ବହୁତ ସଂଘର୍ଷ କରିଛି ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି। କିନ୍ତୁ ଭଗବାନ ମୋତେ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରିଛନ୍ତି। ଯେଉଁମାନେ ମୋତେ ଜେଲରେ ରଖିଥିଲେ ସେମାନେ ଭାବିଥିଲେ ଯେ ଆମେ ଭାଙ୍ଗିଯିବୁ, କିନ୍ତୁ ଆମେ ବିଜୟୀ ହୋଇ ଫେରିଛୁ।
ସୂଚନାଯୋଗ୍ୟ, ଦୀର୍ଘ ୧୫୬ ଦିନ ଜେଲ୍ରେ କାଟିବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଜି ସନ୍ଧ୍ୟାରେ ତିହାର ଜେଲ୍ରୁ ମୁକୁଳି ଥିବାରୁ ଆପ୍ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ୧୦ ଦିନର ପଚରାଉଚରା ପରେ ଏପ୍ରିଲ ୧ରେ ତାଙ୍କୁ ତିହାର ଜେଲକୁ ପଠାଇ ଦିଆଯାଇଥିଲା। ମେ’ ୧୦ ତାରିଖରେ ତାଙ୍କୁ ୨୧ ଦିନ ପାଇଁ ସାଧାରଣ ନିର୍ବାଚନରେ ପ୍ରଚାର ପାଇଁ ସୁଯୋଗ ଦେବା ନିମନ୍ତେ ମୁକ୍ତ କରାଯାଇଥିଲା। ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ପହିଲା ପର୍ଯ୍ୟନ୍ତ ମୁକ୍ତ କରିବାକୁ ଅନୁମତି ଦେଇଥିଲେ। ସେ ପୁଣି ଜୁନ୍ ୨ ତାରିଖରେ ତିହାର ଜେଲ୍ରେ ଆତ୍ମସମର୍ପଣ କରିଥିଲେ। ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ମୁକ୍ତି ଆପ୍ ପାଇଁ ବରଦାନ ସଦୃଶ ହୋଇଛି। ଦଳ ବର୍ତ୍ତମାନ ରାଜ୍ୟରେ ବିଜେପି ଏବଂ ଇଣ୍ଡି ମେଣ୍ଟ ସହଯୋଗୀ କଂଗ୍ରେସକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛି। ଏହାବ୍ୟତୀତ ଆସନ୍ତା ବର୍ଷ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆପ୍ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନରେ ବିଜୟ ହାସଲ କରିବାକୁ ଚାହୁଛି। ଆପ୍ ମୁଖ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ଜାମିନ ବଣ୍ଡରେ ମୁକ୍ତି ପ୍ରଦାନ କରାଯାଇଛି ଏବଂ ମାମଲାର ଯୋଗ୍ୟତା ଉପରେ କୌଣସି ସାର୍ବଜନୀନ ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ତାଙ୍କୁ ଦିଲ୍ଲୀ ସଚିବାଳୟକୁ ଯାଇ ସରକାରୀ ଫାଇଲରେ ଦସ୍ତଖତ କରିବାକୁ ମଧ୍ୟ ସୁପ୍ରିମ୍କୋର୍ଟ ବାରଣ କରିଛନ୍ତି।