ଆହ୍ଲାବାଦ: ମନ୍ଦ ଉଦ୍ଦେଶ୍ୟ ରଖି ହଇରାଣ କରିବା ଲାଗି ୨୦୧୮ରେ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବାଧିନ କଲେଜିୟମ୍ ତାଙ୍କୁ ଛତିଶଗଡ଼ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଥିଲେ ବୋଲି ଆହ୍ଲାବାଦ ହାଇକୋର୍ଟର ବିଦାୟୀ ମୁଖ୍ୟ ବିଚାରପତି ପ୍ରୀତିନ୍କର୍ ଦିବାକର ମଙ୍ଗଳବାର ଦିନ କହିଛନ୍ତି।
ହାଇକୋର୍ଟ ଆୟୋଜନ କରିଥିବା ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସେ କହିଛନ୍ତି, ମତେ ହଇରାଣ କରିବା ଲାଗି ମନ୍ଦ ଉଦ୍ଦେଶ୍ୟ ରଖାଯାଇଥିଲା ବୋଲି ବଦଳି ଆଦେଶରୁ ଜଣାପଡୁଥିଲା। କିନ୍ତୁ, ମୋର ସୌଭାଗ୍ୟ ଏହି ଅସୁବିଧା ମୋ ପାଇଁ ବରଦାନ ପାଲଟି ଗଲା। କାରଣ, ଏଠାରେ ମତେ ସାଥୀ ବିଚାରପତି ଏବଂ ବାର୍ ସଦସ୍ୟମାନଙ୍କଠାରୁ ଅପର୍ଯ୍ୟାପ୍ତ ଶ୍ରଦ୍ଧା ଓ ସମର୍ଥନ ମିଳିଲା। ହଠାତ୍ କେଉଁ କାରଣରୁ ମୋତେ ବଦଳି କରାଯାଇଥିଲା, ତା’ର କାରଣ ମଧ୍ୟ ମୁଁ ଏ ପର୍ଯ୍ୟନ୍ତ ଜାଣି ପାରିନାହିଁ।
ତାଙ୍କ ପ୍ରତି କରାଯାଇଥିବା ଅବିଚାରକୁ ସୁଧାରି ଥିବାରୁ ସେ ପ୍ରଧାନ ବିଚାରପତି ଥିବା ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କଲିଜିୟମ୍ ଚଳିତ ବର୍ଷ ପ୍ରାରମ୍ଭରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ବିଚାରପତି ଦିବାକରଙ୍କ ନାମ ସୁପାରିସ କରିଥିଲେ।
ସୂଚନାଯୋଗ୍ୟ, ବିଚାପତି ଦିବାକର ୧୯୮୪ରେ ମଧ୍ୟପ୍ରଦେଶ ‘ବାର୍ କାଉନ୍ସିଲ୍’ର ସଦସ୍ୟ ହୋଇଥିଲେ। ୨୦୦୫ ଜାନୁଆରିରେ ସେ ଛତିଶଗଡ଼ ହାଇକୋର୍ଟକୁ ବରିଷ୍ଠ ଆଡ୍ଭୋକେଟ୍ ଭାବେ ଉନ୍ନୀତ ହେବା ପରେ ସେଠାକାର ‘ବାର୍ କାଉନ୍ସିଲ୍’ରେ ୫ ବର୍ଷ ପାଇଁ ସଦସ୍ୟ ହୋଇଥିଲେ।
୨୦୦୯ ମାର୍ଚ ୩୧ ତାରିଖରେ ତାଙ୍କୁ ଛତିଶଗଡ଼ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ତା’ପରେ ୨୦୧୮ ଅକ୍ଟୋବର ୩ରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା।