ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି ଯେ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଟୟଲେଟ୍ କ୍ଲିନର ମିଶାଇ ଖାଦ୍ୟ ଦିଆଯାଇଥିଲା। ରାଵଲପିଣ୍ଡିର ଆଡିଆଲା ଜେଲରେ ୧୯୦ ନିୟୁତ ପାଉଣ୍ଡର ଦୁର୍ନୀତି ମାମଲାର ଶୁଣାଣି ବେଳେ ଇମ୍ରାନ୍ ଖାନ୍ ବିଚାରପତି ନାସିର ଜାଭେଦ ରାଣାଙ୍କ ଆଗରେ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଶୌକତ ଖାନୁମ୍ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅସୀମ ୟୁସୁଫ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ବୁଶରା ବିବିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ଏହା କରାଇନଥିଲେ। ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ୍ କହିଛନ୍ତି ଯେ ବୁଶରା ବିବିଙ୍କ ଖାଦ୍ୟରେ ଟୟଲେଟ୍ କ୍ଲିନର ମିଶାଯାଇଥିଲା, ଯାହା ଫଳରେ ଦୈନିକ ପେଟରେ ଯନ୍ତ୍ରଣା ହେଉଥିଲା। ଏବେ ବି ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଶୁଣାଣି ସମୟରେ ସାମ୍ବାଦିକ ସମ୍ମିଳନୀ ନ କରିବାକୁ କୋର୍ଟ ଇମ୍ରାନ ଖାନଙ୍କୁ ପରାମର୍ଶ ଦେବା ପରେ ସେ କହିଥିଲେ ଯେ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଉଥିବାରୁ ସେ ଏହାକୁ ସ୍ପଷ୍ଟ କରିବା ପାଇଁ ସାମ୍ବାଦିକମାନଙ୍କ ସହ କଥା ହେଉଛନ୍ତି।