ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରେ ଭୟଙ୍କର ଭୂକମ୍ପ ମ୍ୟାମାରକୁ ଦୋହଲାଇ ଦେଇଥିଲା । ପ୍ରଳଙ୍କାରୀ ଭୂକମ୍ପ ଏବଂ ପ୍ରକୃତିର ତାଣ୍ଡବଲୀଳା ପରେ ମ୍ୟାମାରରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ମୃତ୍ୟୁ ଏବଂ ବିରାଟ ବିରାଟ ଅଟ୍ଟାଳିକା, ମଲ, ବ୍ରିଜ୍, ହସ୍ପିଟାଲ, ମନ୍ଦିର, ମସଜିଦ୍ ଭାଙ୍ଗିଯିବା କାରଣରୁ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯିବା ଅଭିଯାନ ଆଜି ଯାଏଁ ଚାଲିଛି।
ଏହି କ୍ରମରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଭୟାବହ ଭୂକମ୍ପର ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଜଣେ ଶିକ୍ଷକଙ୍କୁ ୫ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି।
ଉଦ୍ଧାର ପରେ ଶିକ୍ଷକ ଟିନ ମାଉଙ୍ଗ (ବୟସ ୪୭) ଭୂକମ୍ପ ଘଟଣାକୁ ବଖାଣି କହିଛନ୍ତି, ‘ସ୍କୁଲରେ ଅନେକ ସମୟରେ ପାଠପଢ଼ା ଯାଉଥିବା ସମୟରେ ଶିକ୍ଷକମାନେ ଭୂକମ୍ପ ବିଷୟରେ ଆଲୋଚନା କରି କହିଥାଆନ୍ତି ଭୂକମ୍ପ ସମୟରେ ଯଦି କେହି କୋଠାରୁ ବାହାରକୁ ବାହାରି ନପାରନ୍ତି ତେବେ କୋଠରିର ଖଟ ତଳେ ରହିଗଲେ ସୁରକ୍ଷା ମିଳିଯାଇପାରେ। ମୁଁ ମଧ୍ୟ ମୋ ପିଲାଙ୍କୁ ଏହି ଶିକ୍ଷା ଦେଇଥିଲି। କିନ୍ତୁ ଏହାକୁ ଯେ ମୁଁ କେବେ ଅଙ୍ଗେ ନିଭାଇବି ସେକଥା ଭାବି ନଥିଲି।
ଭୂକମ୍ପର ଅନୁଭବ କରିବା ପରେ ମୁଁ ତୁରନ୍ତ ହୋଟେଲର ଖଟ ତଳେ ପଶି ଯାଇଥିଲି। କିଛିକ୍ଷଣ ମଧ୍ୟରେ ହୋଟେଲଟି ଭୁଶୁଡ଼ି ପଡ଼ିଲା ଏବଂ ରାସ୍ତା ଅବରୋଧ ହୋଇଯାଇଥିଲା। ମୁଁ କେବଳ ଏତିକି କହୁଥିଲି ମୋତେ ବଞ୍ଚାଅ, ବଞ୍ଚାଅ। ସେ ସମୟର ଅନୁଭବ ମୁଁ ଭାବୁୂଛି ନର୍କ ଯନ୍ତ୍ରଣାରୁ ବଳି ପଡ଼ିବ।’
ଶିକ୍ଷକ ଟିନ୍ ମାଉଙ୍ଗଙ୍କୁ ଭୂକମ୍ପର ୫ଦିନ ପରେ ଯେତେବେଳେ ଭଗ୍ନାବଶେଷରୁ ବାହାର କରାଯାଇଥିଲା, ସେ ବହୁତ ଦୁର୍ବଳ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି। ଶିକ୍ଷକ କେବଳ ନିଜର ପରିସ୍ରା ପିଇ ୫ଦିନ ଜୀବିତ ଥିଲେ।