ନେପିଣ୍ଡା: ମ୍ୟାମାରର ପିଛା ଛାଡୁନି ଭୂମିକମ୍ପ । କାଲି ଠାରୁ ଆଜି ଯାଏଁ ଭୂକମ୍ପର ଝଟକାରେ ପୂରା ଦୋହଲି ଯାଇଛି ମ୍ୟାମାର । ସବୁଠି ଭୟଙ୍କର ସ୍ଥିତି, ସବୁଠି ଭଙ୍ଗାରୁଜା, ସବୁଠି ଛାରଖାର ଆଉ ପ୍ରକୃତିର କରାଳ ରୂପ । ଭୂକମ୍ପ ପରେ ସାରା ମ୍ୟାମାରରେ ସ୍ଥିତି ସଙ୍ଗୀନ । ଖାଦ୍ୟ, ପାନୀୟ ଓ ଜୀବନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ । ଏକପ୍ରକାର କହିବାକୁ ଗଲେ ହାହାକାର ସ୍ଥିତି...
ଶୁକ୍ରବାର ବିରାଟ ଭୂକମ୍ପ ପରେ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କଲା ବେଳକୁ ଶନିବାର ପୁଣି ଥରେ ଆଉ ଏକ ଭୂକମ୍ପ ଭାଙ୍ଗିଦେଲା ଅଣ୍ଟା । ପ୍ରଳୟର ତାଣ୍ଡବଲୀଳା ପରେ ଜୀବନକୁ ଆଉ ଥରେ ଜୋର କରି ଉଠଇଲା ବେଳକୁ ପୁନଶ୍ଚ ଆଜି ଏକ ଭୂକମ୍ପ ପୂରା ମ୍ୟାମାରକୁ ଦୋହଲାଇ ଦେଇଛି ।
ଗତକାଲି ଦୁଇ ଦୁଇଟି ଭୂକମ୍ପ ଝଟକାରେ ମ୍ୟାମାର ଥରିଥିବା ବେଳେ ଆଜି ପୁଣି ଏକ ବଡ ଭୂକମ୍ପର ଝଟକା ମ୍ୟାମାରବାସୀଙ୍କୁ ଭୟଭୀତ କରାଇଛି । ଧ୍ୱଂସର ସ୍ତୁପ ପାଲଟିଥିବା ମ୍ୟାମାରରେ ପୁଣି ଆଜି ବି ଭୂମିକମ୍ପ ହୋଇଛି । ଦ୍ବିପ୍ରହର ୨ଟା ୫୦ ମିନିଟରେ ଭୂକମ୍ପ ହୋଇଛି, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ବୋଲି କୁହାଯାଉଛି । ଏହି ଭୂମିକମ୍ପ ଉତ୍ପତି ସ୍ଥଳି ମ୍ୟାମାର ରାଜଧାନୀ ନାପିଦ୍ୱ ନିକଟ ବୋଲି ସୂଚନା ମିଳିଛି । ତେବେ ଏଯାଏଁ ଭୂକମ୍ପରେ ପ୍ରାୟ ୧୦୦୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୭୦ ଜଣ ଆହତ ହୋଇଛନ୍ତି । ଅନେକ ନିଖୋଜ ଅଛନ୍ତି । ଯେଉଁମାନଙ୍କ ପତ୍ତା ଆଜି ଯାଏଁ ମିଳୁନି । ଗତକାଲି ମ୍ୟାମାରରେ ୭.୭ ତୀବ୍ରତା ଭୂକମ୍ପ ହୋଇଥିଲା । ଯାହାର ପରିଣାମ ସାରା ଦେଶ ଭୋଗୁଥିବା ବେଳେ ଆଉ ଏକ ଭୂକମ୍ପ ଲୋକଙ୍କୁ ଭୟଭୀତ କରାଇଛି ।