ନୂଆଦିଲ୍ଲୀ: ପ୍ରଥମେ ଶୁକ୍ରବାର ଓ ପରେ ଶନିବାର । ଦୁଇ ଦିନରେ ତିନି ତିନିଟି ବଡ ଧରଣର ଭୂକମ୍ପ ଝଟକା ପରେ ପୂରା ଦୋହଲି ଯାଇଛି ମ୍ୟାମାର । ଶକ୍ତିଶାଳୀ ଓ ଭୟଙ୍କର ଭୂମିକମ୍ପରେ ମ୍ୟାମାର ଏବଂ ଥାଇଲାଣ୍ଡ ଦେଶ ନାହିଁ ନଥିବା କ୍ଷୟକ୍ଷତି ଓ ଜନଧନ ହାନି ସହିଛନ୍ତି । ଶନିବାର ମଧ୍ୟାହ୍ନ ସୁଦ୍ଧା ମୃତ୍ୟୁ ସଂଖ୍ୟା ହଜାରେ ଟପିଥିବା ମ୍ୟାମାର ସରକାରୀ ତଥ୍ୟରୁ ଜଣାପଡିଛି । ଗତକାଲିର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି । 

Advertisment

ଯେବେ ପ୍ରକୃତି ରାଗେ ସୁଧମୂଳ ସହ ହିସାବ ନିଏ । ଏହାର ଏକ ତାଜା ଉଦାହରଣ ଦେଖିବାକୁ ମିଳିଛି ମ୍ୟାମାର ଓ ଥାଇଲାଣ୍ଡରେ । ଶୁକ୍ରବାର ଉଭୟ ଦେଶ ଉପରେ ଦାଉ ସାଧିଛି ଭୟଙ୍କର ଭୂକମ୍ପ । ଥରି ଉଠିଛି ଥାଇଲାଣ୍ଡ ଓ ମ୍ୟାମାର । କିଛି ମୁହୂର୍ତ୍ତରେ ହିଁ ଛାରଖାର ହୋଇପଡିଛି  ଉଭୟ ଦେଶ  । ମୃତ୍ୟୁ ସଂଖ୍ୟା ବଢ଼ୁଛି, ଆହତଙ୍କ ତାଲିକା ମଧ୍ୟ ବେଶ ଲମ୍ବା । ସେପଟେ ନିଖୋଜଙ୍କ ସଂଖ୍ୟା ୨ ଶହ ଟପିବା ସହ ଆଗକୁ ବଢ଼ିବା ଆଶଙ୍କା ରହିଛି ।

ବିପଦର ବନ୍ଧୁ ଭାରତ କାଳ ବିଳମ୍ବ ନକରି ଭୂକମ୍ପରେ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଛି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଅଧିକ ରିଲିଫ୍ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମ୍ୟାମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂମିକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଥିଲେ । 

୪ ବର୍ଷ ହେବ ଗୃହଯୁଦ୍ଧ ଓ ଉତ୍କଟ ଖାଦ୍ୟ ସଙ୍କଟ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଥିବା ମ୍ୟାମାରର ଦୁଖ ବଢ଼ାଇଛି ଭୂକମ୍ପ । ତେବେ ମ୍ୟାମାରରେ ଭୂମିକମ୍ପ କିଛି ନୂଆ କଥା ନୁହେଁ । ଦେଶ ଅନେକ ଥର ଛୋଟବଡ ଭୂମିକମ୍ପ ଝଟକାରେ ଦୋହଲିଛି । ମ୍ୟାମାର ଏକ ଭୂକମ୍ପ ପ୍ରବଣ ଦେଶ । ସଗାଇଙ୍ଗରେ ଦେଶର ସବୁଠୁ ବଡ ଭୁକମ୍ପ ଜୋନ ଭାବେ ଜଣାଶୁଣା ।

ମ୍ୟାମାରର ଭୂକମ୍ପ ଇତିହାସ
-୨୦୧୬ ଜାନୁଆରୀ ୪ରେ ମ୍ୟାମାରରେ ୬.୭ ତୀବ୍ରତାର ଭୟଙ୍କର ଭୂକମ୍ପରେ ୧୧ ଜଣଙ୍କ ମୃତ୍ୟୁ ଓ ୨୦୦ ଆହତ ହୋଇଥିଲେ
-୨୦୧୨ ନଭେମ୍ବର ୧୧ରେ ସାଗଇଙ୍ଗ ଭୂକମ୍ପରେ ୨୬ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ
-୨୦୨୧ ମାର୍ଚ୍ଚ ୧୪ରେ ୬.୯ ତୀବ୍ରତାର ଭୂକମ୍ପରେ ୧୫୧ ଜଣଙ୍କ ମୃତ୍ୟୁ
-୨୦୧୧ରେ ମାର୍ଚ୍ଚ ୧୦ରେ ୫.୪ ତୀବ୍ରତାର ଭୂକମ୍ପରେ ୨୬ ଜଣଙ୍କ ମୃତ୍ୟୁ ଓ ୩୧୩ ଆହତ
-୨୦୦୩ ସେପ୍ଟେମ୍ବର ୨୧ରେ ୬.୬ ତୀବ୍ରତା ଭୂକମ୍ପରେ ୧୦ ଜଣ ମୃତ ଓ ୪୩ ଆହତ
-୧୯୯୭ର ନଭେମ୍ବର ୧୧ରେ ଭୂକମ୍ପରେ ୨୩ ମୃତ ଓ ଶତାଧିକ ଆହତ

ତେବେ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡିଥିବା ମ୍ୟାମାର ଏବଂ ଥାଇଲାଣ୍ଡ ପାଇଁ ପ୍ରାର୍ଥନା କରୁଛି ସାରା ବିଶ୍ବ