କ୍ଷମତା ଅକ୍ତିଆରକୁ ଯଥାର୍ଥ କହିବା ସହ ସାନି ନିର୍ବାଚନ ଲାଗି ପ୍ରତିଶ୍ରୁତି ଦେଲା ମିଆଁମାର୍‌ ସେନା

ନୂଆଦିଲ୍ଲୀ: କ୍ଷମତାଚ୍ୟୁତ ପୂର୍ବତନ ମିଆଁମାର୍‌ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚିଙ୍କ ବିରୋଧରେ ପୁଲିସ ଅତିରିକ୍ତ ଅଭିଯୋଗ ଦାଏର କରିଥିବା ବେଳେ ସାନି ନିର୍ବାଚନ କରି କ୍ଷମତା ହସ୍ତାନ୍ତର କରିବ ବୋଲି ଶାସକ ମିଆଁମାର ସେନା ପ୍ରତିଶ୍ରୁତି ଦେଇଛି।

ସୁ ଚି ଏବଂ ଅନ୍ୟମାନଙ୍କ ଗିରଫଦାରୀକୁ ବିରୋଧ କରି ପ୍ରତିବାଦକାରୀମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ବି ଫେବ୍ରୁଆରି ପହିଲା ଦିନ କରାଯାଇଥିବା କ୍ଷମତା ଅକ୍ତିଆରକୁ ଯଥାର୍ଥ କରିବା ସହ ଏହା ସାମରିକ ବିଦ୍ରୋହ ନୁହେଁ ବୋଲି ମିଆଁମାର ସେନା କହିଛି। ଏହାଛଡ଼ା, ଏହି କାର୍ଯ୍ୟାନୁଷ୍ଠାନରେ ଚୀନ୍‌ ସେନାର ସହାୟତା ଥିବା ପ୍ରସଙ୍ଗକୁ ମଧ୍ୟ ମିଆଁମାର୍‌ ସେନା ଅଗ୍ରାହ୍ୟ କରିଛି।

ସୁ ଚିଙ୍କ ସରକାରକୁ ଗାଦିଚ୍ୟୁତ କରିଥିବା ସାମରିକ ସରକାର ପ୍ରଥମ କରି ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲା। ଏଥିରେ ଶାସକ ପରିଷଦ୍‌ର ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ୍‌ ଜ’ ମିନ୍‌ ସୁନ୍‌ କହିଛନ୍ତି, ଆମର ଉଦ୍ଦେଶ୍ୟ ହେଉଛି ନିର୍ବାଚନ କରି ବିଜୟୀ ଦଳକୁ କ୍ଷମତା ସମର୍ପଣ କରିବା।
ସାନି ନିର୍ବାଚନ ନିମନ୍ତେ ସେନା ତାରିଖ ଘୋଷଣା କରି ନ ଥିଲେ ମଧ୍ୟ ଏକ ବର୍ଷ ପାଇଁ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି। ଜ’ ମିନ୍‌ ସୁ କହିଛନ୍ତି ଯେ, ସେନା ଅଧିକ ଦିନ କ୍ଷମତାସୀନ ରହିବ ନାହିଁ।

Image Courtesy of The Irish Times

ପ୍ରାୟ ଦୁଇଘଣ୍ଟା ଧରି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆମେ ଗ୍ୟାରେଣ୍ଟି ଦେଉଛୁ, ନିର୍ବାଚନ କରାଯିବ।

ନୋବେଲ୍‌ ଶାନ୍ତି ବିଜୟିନୀ ସୁ ଚିଙ୍କୁ ଏବଂ ରାଷ୍ଟ୍ରପତିଙ୍କୁ ଅଟକ ରଖାଯାଇଥିବା କଥାକୁ ଜ’ ମିନ୍‌ ସୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେମାନେ ଘରେ ଅଛନ୍ତି ଏବଂ ସେମାନଙ୍କ ନିରାପତ୍ତା ପାଇଁ ଆଇନ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସାମରିକ ଶାସନର ଅବସାନ ନିମନ୍ତେ ସୁ ଚି ପ୍ରାୟ ୧୫ ବର୍ଷ ଗୃହବନ୍ଦୀ ଥିଲେ। ତାଙ୍କ ବିରୋଧରେ ଛଅଟି ଓ୍ଵାକି-ଟକି ରେଡିଓ ଆମଦାନି କରିଥିବା ସଦ୍ୟ ଅଭିଯୋଗ ହୋଇଥିବାରୁ ବୁଧବାର ପର୍ଯ୍ୟନ୍ତ ସେ ରିମାଣ୍ଡ୍‌ରେ ରହିବେ। ‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିୟମ’ ଉଲ୍ଲଂଘନ କରିଥିବାରୁ ପୁଲିସ ତାଙ୍କ ବିରୋଧରେ ଦ୍ୱିତୀୟ ମାମଲା ରୁଜୁ କରିଛି ବୋଲି ମଙ୍ଗଳବାର ଦିନ ସୁ ଚିଙ୍କ ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର