ପ୍ରସିଦ୍ଧ ବିଜୟା ଦଶମୀ ସମାରୋହ ପାଇଁ ମହୀଶୂର ଉତ୍ସବମୁଖର, ହାତୀ ଶୋଭାଯାତ୍ରାରେ ବାହାରିଲେ ଦେବୀ ଚାମୁଣ୍ଡେଶ୍ୱରୀ

ମହୀଶୂର : ଆଜି ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ଦେଶ ଉତ୍ସବ ମୁଖର । ତେବେ ଦେଶର ସବୁଠାରୁ ପ୍ରସିଦ୍ଧ ଦଶହରା ହେଉଛି ମହୀଶୂର ରାଜପ୍ରାସାଦରେ ହେଉଥିବା ଦଶହରା । ଏହାକୁ ଦେଖିବାକୁ ସାରା ଦେଶ ଓ ବିଦେଶରୁ ପର୍ଯ୍ୟଟକମାନେ ଅପେକ୍ଷା କରିରହିଥାନ୍ତି । ବିଗତ ପ୍ରାୟ ୪ଶହ ବର୍ଷ ଧରି ଏହି ଦଶହରା ଉତ୍ସବ ମହୀଶୂର ରାଜପରିବାର ଦ୍ୱାରା ପାଳନ ହୋଇଆସୁଛି ।

ପ୍ରାୟ ୧୦ ଦିନଧରି ଚାଲୁଥିବା ଏହି ଉତ୍ସବ ନବରାତ୍ରୀର ପ୍ରଥମ ଦିନଠାରୁ ମଧ୍ୟ ଆରମ୍ଭ ହୋଇଥାଏ । ଦଶହରା ଦିନ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ । ମୁଖ୍ୟ ଆକର୍ଷଣ ହେଉଛି ହାତୀମାନଙ୍କ ଶୋଭାଯାତ୍ରା ସହ ଆସୁଥିବା ଦେବୀ ଚାମୁଣ୍ଡେଶ୍ୱରୀଙ୍କ ଚଳନ୍ତି ପ୍ରତିମା । ଏଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଏହି ଉତ୍ସବକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପାରମ୍ପରିକ ବିଧିଅନୁସାରେ ଦେବୀଙ୍କ ଚଳନ୍ତି ପ୍ରତିମାକୁ ମହୀଶୂର ରାଜା ଯଦୁବୀର କ୍ରିଷ୍ଣଦତ୍ତ ଚମରାଜା ଓ୍ଵାଡେୟାରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ । ଏହି ଉତ୍ସବ ପାଇଁ ମହୀଶୂର ରାଜପ୍ରାସାଦକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଏହି ଉତ୍ସବରେ ଯୋଗ ଦେବାକୁ ସାରାଦେଶରୁ ବିଭିନ୍ନ ସାଂସ୍କୃତିକ ଦଳ ଆସି ପହଞ୍ଚିଛନ୍ତି ।

ସମ୍ବନ୍ଧିତ ଖବର