୩୩ ଦେଶରେ ପିଲାଙ୍କଠାରେ ରହସ୍ୟଜନକ ହେପାଟାଇଟିସ୍ ମାମଲା: ହୁ

ଜେନେଭା: ପ୍ରାୟ ୩୩ଟି ଦେଶର ପିଲାମାନଙ୍କଠାରେ ରହସ୍ୟଜନକ ହେପାଟାଇଟିସ୍‌ ରୋଗର ୬୫୦ଟି ସନ୍ଦିଗ୍ଧ ମାମଲା ଦେଖାଦେଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ରିପୋର୍ଟ କରିଛି। ତେବେ ଏହି ରୋଗର କାରଣ ଜଣାପଡ଼ି ନ ଥିବା ବେଳେ ତା’ ଉପରେ ଅନୁସନ୍ଧାନ ଜାରି ରହିଛି। ୨୦୨୨ ଏପ୍ରିଲରୁ ମେ ୨୬ ଭିତରେ ଉକ୍ତ ସନ୍ଦିଗ୍ଧ ୬୫୦ଟି ମାମଲା ଦେଖାଦେଇଛି। ଉକ୍ତ ୬୫୦ ଜଣଙ୍କ ମଧ୍ୟରେ ଅନ୍ୟୂନ ୩୮ ଜଣ ପିଲା (୬%) ଯକୃତ ପ୍ରତିରୋପଣ ଆବଶ୍ୟକ କରିଥିବା ବେଳେ ୯ ଜଣ (୧%) ପିଲାଙ୍କ ମୃତ୍ୟୁ ହୋଇଥିବା ହୁ ପ୍ରକାଶ କରିଛି।

ରୋଗଗ୍ରସ୍ତ ପିଲାଙ୍କ ମଧ୍ୟରୁ ୨୨୨ ଜଣ ବା ପ୍ରାୟ ଏକ ତୃତୀୟାଂଶ ହେଉଛନ୍ତି ଇଂଲଣ୍ଡର ଏବଂ ୨୧୬ ଜଣ ହେଉଛନ୍ତି ଆମେରିକାର। ତେବେ ଏହାଛଡ଼ା ୯୯ଟି ଅତିରିକ୍ତ ମାମଲା ବର୍ଗୀକରଣ କରାଯିବାକୁ ବାକି ଅଛି ବୋଲି ହୁ କହିଛି। ଯେଉଁମାନେ ଏହି ରୋଗରେ ପଡ଼ୁଛନ୍ତି ସେମାନେ ଅତ୍ୟନ୍ତ ଗୁରୁତର ହୋଇପଡ଼ୁଛନ୍ତି ଏବଂ ସେମାନଙ୍କ ଲିଭର (ଯକୃତ) କାମ କରୁନାହିଁ। ଏଭଳି ରହସ୍ୟଜନକ ଯକୃତ ରୋଗର ଶିକାର ହୋଇଥିବା ପିଲାଙ୍କ ମଧ୍ୟରୁ ୭୫.୪ ପ୍ରତିଶତଙ୍କ ବୟସ ହେଉଛି ୫ ବର୍ଷ ଭିତରେ। ଏଭଳି ଯକୃତ ରୋଗର ଜଣାଥିବା ଭୂତାଣୁ ଯଥା ହେପାଟାଇଟିସ୍ ଏ, ବି, ସି, ଡି ଓ ଇ ଭିତରୁ ଏହା କୌଣସିଟି ବି ନୁହେଁ। ଏ ନେଇ ଅଧିକ ଗ‌େବେଷଣା ଜାରି ରହିଛି ବୋଲି ହୁ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର