ପ୍ୟାରିସ୍‌: ରୁଷୀୟ-ଫ୍ରେଞ୍ଚ୍‌ ବିଲିୟନେୟାର ତଥା ଟେଲିଗ୍ରାମ୍‌ ମୋବାଇଲ୍‌ ଆପ୍‌ର ସିଇଓ ପାଭେଲ୍‌ ଦୁରୋଭ୍‌ଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି। ଦୁରୋଭ୍‌ଙ୍କୁ ଯେଉଁଭଳି ଭାବେ  ଗିରଫ କରାଗଲା ସେନେଇ ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଦୁରୋଭ୍‌ଙ୍କ ଗିରଫ ଏତେ ସହଜ ନଥିଲା। ଗିରଫକୁ ସଫଳ କରାଇଥିବା ‘ରହସ୍ୟମୟୀ’ ଜୁଲି ଭାଭିଲୋଭା (୨୪)ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

Advertisment

ଶନିବାର ଦୁରୋଭ୍‌ଙ୍କ ଘରୋଇ ବିମାନ ପାରିସ୍‌ ନିକଟସ୍ଥ ଲେ ବୋରଗେଟ୍‌ ବିମାନବନ୍ଦରରେ ଅବତରଣ କରିବା ପରେ ସେଠାରେ ଅପେକ୍ଷା କରିରହିଥିବା ପୁଲିସ କର୍ମୀ ତାଙ୍କୁ ଗିରଫ କରିଥିଲେ। ଦୁରୋଭ୍‌ଙ୍କ ଗିରଫ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଦୁରୋଭ୍‌ ଓ ଜୁଲିଙ୍କ ଏକାଧିକ ଫଟୋ ପ୍ରସାରିତ ହୋଇଥିଲା। ଉଭୟେ, ଅଗଷ୍ଟ ୨୧ରେ ଆଜେରବାଇଜାନ୍‌ ଗସ୍ତ କରିଥିଲେ। ଯଦିଓ ଦୁଇଜଣ ଭିନ୍ନ ଭିନ୍ନ ଭାବେ ଆଜେରବାଇଜାନ୍‌ ଗସ୍ତ କରିଥିଲେ, ତେବେ ଦୁରୋଭ୍‌ ଯେଉଁଯେଉଁ ପର୍ଯ୍ୟଟନ ସ୍ଥଳୀ, ହୋଟେଲ୍‌ ଆଦିକୁ ଯାଇଥିଲେ ଠିକ୍‌ ସେହି ସ୍ଥାନରେ ଠିଆ ହୋଇ ଜୁଲି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଥିଲେ।   ଘ‌ରୋଇ ଗୁଇନ୍ଦା ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଯଦିଓ ଉଭୟଙ୍କ ଏକତ୍ରିତ ଫଟୋ ସାମାଜିକ ଗଣମାଧ୍ୟମରେ ନାହିଁ, କିନ୍ତୁ ଯେକୌଣସି ଗୁଇନ୍ଦା ସଂସ୍ଥା ଏଥିରୁ ସହଜରେ ଜୁଲିଙ୍କ ଫଟୋକୁ ଟ୍ରାକ୍‌ କରି ଦୁରୋଭ୍‌ଙ୍କ ଗତିବିଧି ଉପରେ ନଜର ରଖିପାରିବ। ଏହି ଫଟୋଗୁଡ଼ିକ ଜାଣିଶୁଣି ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିଲା। ଏହାଦ୍ବାରା ଡୁରୋଭ୍‌ଙ୍କ ସଠିକ୍‌ ଠିକଣା (ଲୋକେସନ୍‌) ‌ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିପାରିବ।

ଅପରପକ୍ଷରେ, ଜୁଲିଙ୍କ ପରିବାର କହିଛନ୍ତି, ଦୁରୋଭ୍‌ଙ୍କ ଗିରଫ ପରଠାରୁ ଜୁଲିଙ୍କ ସହ ସେମାନେ ଯୋଗାଯୋଗ କରିପାରିନାହାନ୍ତି। ତାଙ୍କର ମୋବାଇଲ୍‌ ବନ୍ଦ ରହିଛି। ଦୁରୋଭ୍‌ ଓ ଜୁଲିଙ୍କ ମଧ୍ୟରେ ସମ୍ପର୍କ କିଭଳି ଗଢ଼ି ଉଠିଲା ସଂପ୍ରତି ଏକ ରହସ୍ୟ ହୋଇ ରହିଛି, କିନ୍ତୁ ଦୁରୋଭ୍‌ ଦୁବାଇରେ ରହିବା ବେଳେ ଜୁଲିଙ୍କ ସହ ସମ୍ପର୍କ ସୃଷ୍ଟି ହୋଇଥିବା ସମ୍ଭାବନା ରହିଛି। ୨୦୧୪ରେ ରୁଷ୍‌ ସରକାରଙ୍କୁ ଟେଲିଗ୍ରାମ୍‌ର ଗୁପ୍ତତଥ୍ୟ ଦେବାକୁ ଅସ୍ବୀକାର କରିବା ପରେ ତାଙ୍କର ଗିରଫ ପରୱାନା ଜାରି ହୋଇଥିଲା। ଏହାପରେ ସେ ଦୁବାଇ ପଳାୟନ କରିଥିଲେ ଏବଂ ପରେ ଫ୍ରାନ୍‌ସର ନାଗରିକତ୍ବ ଗ୍ରହଣ କରିଥିଲେ।