ବେଜିଂ: କୋଭିଡ୍-୧୯ ମହାମାରୀର ବିପଜ୍ଜନକ ପ୍ରଭାବରୁ ଏବେ ବି ସମ୍ପୂର୍ଣ୍ଣ ମୁକୁଳି ପାରି ନଥିବା ଚୀନ୍ ସମ୍ପ୍ରତି ଆଉ ଏକ ସ୍ୱାସ୍ଥ୍ୟଗତ ସଙ୍କଟର ସମ୍ମୁଖୀନ ହେଉଛି। ସ୍କୁଲ୍‌ଗୁଡ଼ିକରେ ରହସ୍ୟମୟ ନିମୋନିଆ ବ୍ୟାପିଛି। ହଜାର ହଜାର ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଶିଶୁଙ୍କୁ ନେଇ ଏବେ ଡାକ୍ତରଖାନାଗୁଡ଼ିକ ଭର୍ତ୍ତି ହୋଇଯାଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଏହି ମହାମାରୀର କେନ୍ଦ୍ରସ୍ଥଳ ହେଉଛି ରାଜଧାନୀ ବେଜିଂ ଏବଂ ଲାଓନିଂ ପ୍ରଦେଶ। ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡ଼ିବାରୁ କେତେକ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଛି, ଯାହା କୋଭିଡ୍-୧୯ର ପ୍ରାରମ୍ଭିକ ଦିନକୁ ମନେ ପକାଇ ଦେଇଛି।

Advertisment

ପ୍ରଭାବିତ ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ସେମାନଙ୍କ ଫୁସଫୁସରେ ପ୍ରଦାହ ହେଉଛି, କିନ୍ତୁ କୌଣସି କାଶ ନାହିଁ। ସାଧାରଣତଃ ଏଭଳି ରୋଗରେ କାଶ ହୋଇଥାଏ। ଅନ୍ତର୍ଜାତୀୟ ରୋଗ ନିରୀକ୍ଷଣ ମଞ୍ଚ ‘ପ୍ରୋମେଡ୍’ ମଙ୍ଗଳବାର ଶିଶୁମାନଙ୍କୁ ପ୍ରଭାବିତ କରୁଥିବା ନିମୋନିଆକୁ ନେଇ ସତର୍କ ସୂଚନା ଜାରି କରିଛି। ଏହା ବୟସ୍କମାନଙ୍କୁ ପ୍ରଭାବିତ କରିବ ବୋଲି ରିପୋର୍ଟ କରାଯାଇ ନଥିଲେ ମଧ୍ୟ ପିଲାମାନଙ୍କ ମଧ୍ୟରେ ବ୍ୟାପୁଥିବା ରୋଗ ସହ ବିଦ୍ୟାଳୟ ପରିବେଶର ସମ୍ଭାବ୍ୟ ସଂପର୍କ ଥିବା ସୂଚିତ ହେଉଛି। ଦିନକୁ ୭ ହଜାରରୁ ଅଧିକ ଅସୁସ୍ଥ ଶିଶୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଡାକ୍ତରଖାନାରେ ଆଉ ବେଡ୍ ରହିବ ନାହିଁ ବୋଲି କୁହାଯାଉଛି।

ମାଇକୋପ୍ଲାଜମା ନିମୋନିଆ (ଏକ ସାଧାରଣ ବ୍ୟାକ୍ଟେରିଆ ସଂକ୍ରମଣ ଯାହା ସାଧାରଣତଃ ଛୋଟ ପିଲାଙ୍କୁ ପ୍ରଭାବିତ କରେ)କୁ ଏକ ସମ୍ଭାବ୍ୟ କାରଣ ଭାବରେ ବିଚାର କରାଯାଉଛି, ଯାହାକୁ ‘ୱାକିଂ ନିମୋନିଆ’ ମଧ୍ୟ କୁହାଯାଏ। ଏହି ଜୀବାଣୁ ଯୋଗୁ ସଂକ୍ରମଣ ସାମାନ୍ୟ ହେଲେ ମଧ୍ୟ ଏହା ଅଧିକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ଯେଉଁଥିପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼େ। ବିଶେଷ କରି ଅକ୍ଟୋବର ପ୍ରାରମ୍ଭରୁ ଚୀନ୍‌ର ଡାକ୍ତରଖାନାଗୁଡ଼ିକରେ ନିମୋନିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସଂକ୍ରମଣର ତୀବ୍ରତା ସତ୍ତ୍ୱେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଚୀନ୍‌କୁ ଶ୍ୱାସକ୍ରିୟା ଜନିତ ରୋଗ ବୃଦ୍ଧି ଏବଂ ଶିଶୁମାନଙ୍କଠାରେ ନିମୋନିଆର କ୍ଲଷ୍ଟର୍ ବିଷୟରେ ବିସ୍ତୃତ ସୂଚନା ଦେବାପାଇଁ ଅନୁରୋଧ କରିଛି। ନଭେମ୍ବର ୧୩ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କର୍ତ୍ତୃପକ୍ଷ ଚୀନ୍‌ରେ ଶ୍ୱାସକ୍ରିୟା ଜନିତ ରୋଗ ବୃଦ୍ଧି ପାଉଥିବା ସୂଚନା ଦେଇଥିଲେ।