ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ଗତ ଏକ ମାସ ମଧ୍ୟରେ ୧୭ ଜଣଙ୍କ ଜୀବନ ନେଇଥିବା ରହସ୍ୟମୟ ରୋଗର କାରଣ ସଂପର୍କରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁବାର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି କୌଣସି ଜୀବାଣୁ ବା ଭୂତାଣୁଜନିତ ରୋଗ ହେତୁ ମୃତ୍ୟୁ ହୋଇ ନାହିଁ। ପ୍ରାଥମିକ ତଦନ୍ତରୁ ଅଜଣା ବିଷାକ୍ତ ପଦାର୍ଥ ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି। ଲକ୍ଷ୍ନୌସ୍ଥିତ ସିଏସ୍ଆଇଆର୍ ଲ୍ୟାବ୍ ଦ୍ୱାରା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଏହା କୌଣସି ସଂକ୍ରମଣ, ଭୂତାଣୁ କିମ୍ବା ବ୍ୟାକ୍ଟେରିଆ ପ୍ରକୃତିର ନୁହେଁ। ବିଷାକ୍ତ ପଦାର୍ଥ ମିଳିଛି। ଏବେ ଏହା କେଉଁ ପ୍ରକାରର ବିଷାକ୍ତ ପଦାର୍ଥ ତାହାର ତଦନ୍ତ ଚାଲିଛି ବୋଲି ଶ୍ରୀ ସିଂହ କହିଛନ୍ତି।ଯଦି କୌଣସି ଷଡ଼ଯନ୍ତ୍ର ପ୍ରମାଣିତ ହୁଏ ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଡିସେମ୍ବର ୭ରୁ ଜାନୁଆରି ୧୯ ମଧ୍ୟରେ ରାଜୌରୀର ଦୁର୍ଗମ ବଧାଲ ଗାଁର ତିନୋଟି ପରିବାରରେ ଏହି ମୃତ୍ୟୁ ଘଟିଥିବାରୁ କର୍ତ୍ତୃପକ୍ଷ ବୁଧବାର ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ସରକାରୀ ଓ ବେସରକାରୀ ସମାବେଶ ଉପରେ କଟକଣା ଜାରି କରାଯାଇଛି। ମୃତ ପରିବାରର ନିକଟ ସମ୍ପର୍କୀୟଙ୍କ ସମେତ ଆଉ ୪ ଜଣ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଏହି ରହସ୍ୟମୟ ମୃତ୍ୟୁର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ୧୧ ଜଣିଆ ଅନ୍ତଃମନ୍ତ୍ରଣାଳୟ ଟିମ୍ ଗଠନ କରିଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଙ୍ଗଳବାର ପ୍ରଭାବିତ ଗାଁକୁ ଯାଇ ବାସିନ୍ଦାଙ୍କୁ ଭେଟି ମୃତକଙ୍କ ସତ ପଦାକୁ ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/24/dfa1Og3ybaFgkI5BXQvT.jpg)