ନୂଆଦିଲ୍ଲୀ: ଜହ୍ନକୁ ନେଇ ମଣିଷ ମନରେ କେତେ କଳ୍ପନା ଜଳ୍ପନା । ଜହ୍ନକୁ ନେଇ କେତେ କଥା କେତେ କବିତା କେତେ ସ୍ମୃତି ପୁଣି କେତେ ବ୍ୟଥା । ଜହ୍ନ ତ ସବୁବେଳେ ସୁନ୍ଦର , ସେ ପୁଣି ପୂର୍ଣ୍ଣମୀର ଜହ୍ନ ଆହୁରି ସୁନ୍ଦର । ଆଜି ବି ଜହ୍ନ ଏକ ଭିନ୍ନ ରଙ୍ଗରେ ଝଲସିବ । ଜହ୍ନର ଜୋଛନାରେ ଚମକିବ ଆକାଶ । ଆଉ ଜହ୍ନ ଦିଶିବ ଗୋଲାପୀ ଗୋଲାପୀ ।
ଆଜି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ । ୧୮ ବର୍ଷରେ ଥରେ ଏହି ଦୃଶ୍ୟ ଦେଖାଯିବାକୁ ଥିବା ବେଳେ ପୁନଶ୍ଚ ୨୦୪୩ରେ ଦୃଶ୍ୟମାନ ହେବ । ତେଣୁ ଏହି ଦୃଶ୍ୟ ଦେଖିବାକୁ ସମସ୍ତେ ସଂଧ୍ୟା ୭ଟାକୁ ଅପେକ୍ଷା କରିଛନ୍ତି ।
୧୧ ଜୁନ୍ ୨୦୨୫ ରାତିରେ ଆକାଶରେ ଦୃଶ୍ୟମାନ ହେବ ବିରଳ ଦୃଶ୍ୟ । ଆଜି ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ପୂର୍ଣ୍ଣିମା ରାତିରେ ଷ୍ଟ୍ରବେରୀ ଚନ୍ଦ୍ର ଦୃଶ୍ୟମାନ ହେବ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହା ମାଇକ୍ରୋ ମୁନ୍ ମଧ୍ୟ ହେବ । ଯାହା ପୃଥିବୀ ଠାରୁ ଟିକେ ଦୂରରେ ଥିବାରୁ ସାଧାରଣ ଅପେକ୍ଷା ଟିକେ ଛୋଟ ଏବଂ ଅସ୍ପଷ୍ଟ ଦେଖାଯିବ ।
ଏଥରର ଷ୍ଟ୍ରବେରୀ ଚନ୍ଦ୍ର କେବଳ ଏହାର ନାମ କିମ୍ବା ରଙ୍ଗ ପାଇଁ ନୁହେଁ, ବରଂ ଏହାର 'ମାଇକ୍ରୋ ମୁନ୍' ଏବଂ 'ମେଜର ଲୁନାର ଷ୍ଟାଣ୍ଡଷ୍ଟିଲ୍' ପାଇଁ ମଧ୍ୟ ବହୁତ ସ୍ୱତନ୍ତ୍ର । ଯଦିଓ ଏହାର ରଙ୍ଗ ଷ୍ଟ୍ରବେରୀ ପରି ନୁହେଁ, କିନ୍ତୁ ଏହାର ନାମ ଆମେରିକୀୟ ଆଦିବାସୀ ପରମ୍ପରା ସହିତ ଜଡ଼ିତ ।
ସେଠାରେ ଜୁନ୍ ମାସରେ ଏହି ପୂର୍ଣ୍ଣିମା ପରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହେଉଥିଲା । ସେଥିପାଇଁ ଏହି ଦିନ ଆସୁଥିବା ଜହ୍ନର ରଙ୍ଗ ଦେଖି ତାହାର ନାମକରଣ କରାଯାଇଛି । ଏହି ବର୍ଷ ଚନ୍ଦ୍ର ପୃଥିବୀଠୁ ସବୁଠାରୁ ଦୂରରେ ରହିବ , ଯାହା ଯୋଗୁଁ ଏହା ସାଧାରଣ ଅପେକ୍ଷା ଛୋଟ ଏବଂ ନିମ୍ନ ଦେଖାଯିବ । ଏହି ଦିନ ପ୍ରତି ୧୮.୬ ବର୍ଷରେ ଥରେ ଆସେ ଅର୍ଥାତ୍ ଏହା ପରେ ପୁଣି ଏପରି ଚନ୍ଦ୍ର ୨୦୪୩ରେ ଦେଖାଯିବ । ଏହି ସୁଯୋଗ ସମସ୍ତଙ୍କ ପାଇଁ ଏକ ବିରଳ ଅଭିଙ୍ଗତା ହୋଇପାରେ ।
ବୈଜ୍ଞାନିକମାନଙ୍କ କହିବା ଅନୁସାରେ , ଆଜି ଚନ୍ଦ୍ରଙ୍କ ଆଲୋକରେ ଏକ ସୁନେଲି ଉଷ୍ମ ଆଭା ଦେଖିବାକୁ ମିଳିବ । ଭାରତରେ ଜୁନ୍ ୧୧ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଦକ୍ଷିଣ-ପୂର୍ବ ଦିଗରେ ଷ୍ଟ୍ରବେରୀ ଚନ୍ଦ୍ର ଦେଖାଯିବ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁ ଭଳି ସହରରେ, ସନ୍ଧ୍ୟା ୭ଟା ପରେ ଏହି ଦୃଶ୍ୟ ଦୃଶ୍ୟମାନ ହେବ ।