ବଢ଼ୁଛି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ : ଆଦିତ୍ୟ ଠା‌କରେଙ୍କୁ ନେଇ ଚର୍ଚା

ଜୋର ଧରିଲା ସିବିଆଇ ତଦନ୍ତ ଦାବି, ମୁମ୍ବାଇ ସଂଗରୋଧରେ ବିହାର ପୋଲିସ

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦେଢ଼ ମାସ ହୋଇ ଯାଇଥିଲେ ମଧ୍ୟ ଏହା ପଛର ପ୍ରକୃତ ରହସ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଗତକିଛି ଦିନ ହେଲା ଏହାକୁ ନେଇ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି, ଯାହାକି ସୁଶାନ୍ତଙ୍କ ମୃତ୍ୟୁକୁ ନୂଆ ମୋଡ଼ ଦେଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ‌େହଉଛି ଯେ ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ ପୁଅ ଆଦିତ୍ୟ ଠାକରେଙ୍କ ଭୂମିକାକୁ ନେଇ ଚର୍ଚା ଉଠିଲାଣି। ବିହାରର କେତେକ ବିଜେପି ନେତା ଏହି ପ୍ରସଙ୍ଗ ଉଠାଇବା ସହିତ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ସମଗ୍ର ଘଟଣାରେ ଆଦିତ୍ୟଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିହାରର କେତେକ ବିଜେପି ନେତା। ସେମାନେ କହୁଛନ୍ତି ଯେ ଏହି ମାମଲାର ସିବିଆଇ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ। କେତେକ ଗଣମାଧ୍ୟମରେ ମଧ୍ୟ କୁହାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁର ପୂର୍ବରାତିରେ ଯେଉଁ ଜନ୍ମଦିନ ପାଳନ କରାଯାଇଥିଲା ସେଥିରେ ମହାରାଷ୍ଟ୍ରର ଜଣେ ଯୁବ ମନ୍ତ୍ରୀ ଥିଲେ। ଏହି ଭୋଜିସଭାରେ ସୁଶାନ୍ତଙ୍କ ସହିତ ଉକ୍ତ ମନ୍ତ୍ରୀଙ୍କର ଯୁକ୍ତିତର୍କ ହୋଇଥିଲା। ଏହାର କିଛି ସମୟ ପରେ ସୁଶାନ୍ତ ସେଠାରୁ ପଳାଇଥିଲେ। କିନ୍ତୁ କଣ ପାଇଁ ଝଗଡ଼ା ହୋଇଥିଲା ତାହା କୁହାଯାଇ ନାହିଁ। ମନ୍ତ୍ରୀଙ୍କ ନାମ ପ୍ରକାଶ କରାଯାଇ ନଥିଲେ ମଧ୍ୟ ଏହା ସିଧା ଆଦିତ୍ୟଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି।

ଏସଂପର୍କରେ ମୁମ୍ବାଇ ପୁଲିସ ମୁଖ୍ୟ ପରମ ବୀର ସିଂହ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବଦିନ ଅର୍ଥାତ ଜୁନ୍ ୧୩ ତାରିଖରେ ତାଙ୍କ ଘରେ କୌଣସି ପାର୍ଟି ବା ଭୋଜିଭାତ ହୋଇ ନଥିଲା। ତଦନ୍ତ ସମୟରେ କୌଣସି ରାଜନେତାଙ୍କ ନାମ ସାମ୍ନାକୁ ଆସିନାହିଁ। କୌଣସି ରାଜନେତାଙ୍କ ବିରୋଧରେ ମଧ୍ୟ ପ୍ରମାଣ ନାହିଁ। ବିହାର ପୁଲିସକୁ ଅସହଯୋଗ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି। ତେବେ ସୁଶାନ୍ତଙ୍କ ମାମଲାରେ ବିହାର ପୁଲିସର ତଦନ୍ତ ଅଧିକାର ରହିଛି କି ନାହିଁ ତାହାର ଆଇନଗତ ଦିଗକୁ ପରଖାଯାଉଛି। ଜୁନ ୧୬ରେ ସୁଶାନ୍ତଙ୍କ ବାପା, ଭଉଣୀ ଓ ଭିଣୋଇଙ୍କ ବୟାନ ରେକର୍ଡ ସମୟରେ ସେମାନେ ଏ ନେଇ କୌଣସି ଅଭିଯୋଗ କରି ନଥିଲେ କିମ୍ବା ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରି ନଥିଲେ ବୋଲି ମୁମ୍ବାଇ ପୁଲିସ ମୁଖ୍ୟ କହିଛନ୍ତି।

Sambad English

ଇତିମଧ୍ୟରେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ସିଟି ପୁଲିସ ଅଧିକାରୀଙ୍କ ହାତରେ ଗତକାଲି ବିଏମସି କ୍ବାରାଣ୍ଟିନ୍ ଷ୍ଟାମ୍ପ୍‌ ମାରିଛି। ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅର୍ଥାତ ଅଗଷ୍ଟ ୧୫ ତାରିଖ‌ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖାଯିବ ବୋଲି ଏଥିରେ ‌ଉଲ୍ଲେଖ ରହିଛି। ବିହାର ପୁଲିସର ତଦନ୍ତର ଅନୁଧ୍ୟାନ ପାଇଁ ବିହାରର ଆଇପିଏସ୍ ଅଧିକାରୀ ବିନୟ ତିୱାରୀ ମୁମ୍ବାଇରେ ପହଞ୍ଚିବା ପରେ ବିଏମସି ଏଭଳି ପଦକ୍ଷେପ ନେଇଛି। ଶ୍ରୀ ତିୱାରୀଙ୍କୁ ବିଏମ୍‌ସି ବିଳମ୍ବିତ ରାତିରେ ଜୋର ଜବରଦସ୍ତ ସଂଗରୋଧ କେନ୍ଦ୍ରକୁ ପଠାଇ ଦେଇଥିଲା। ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୀବ୍ର ପ୍ରତିିକ୍ରିୟା ପ୍ରକାଶ କରିଛନ୍ତି। ଅନେକ ନେତା ଅଭିଯୋଗ କରିଛନ୍ତି ଯେ ତଦନ୍ତରେ ବାଧା ଦେବାଲାଗି ମୁମ୍ବାଇ ପୋଲିସ ଚକ୍ରାନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ ସୁଶାନ୍ତ ମୃତ୍ୟୁ ମାମଲ‌ାରେ ତାଙ୍କର ପ୍ରେମିକା ରିଆ ଚୌଧୁରୀଙ୍କୁ ନେଇ ମଧ୍ୟ ଚର୍ଚା ରହିଛି। ସୁଶାନ୍ତଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କ‌ା କାରବ‌ାର ହୋଇଛି ଏବଂ ଏଥିରେ ରିଆ ଜଡ଼ିତ ଥିବ‌ା ପୋଲିସରେ ମାମଲା ଦାୟର ହୋଇଛି।

ସମ୍ବନ୍ଧିତ ଖବର