ରସଗୋଲା ପରେ ଏବେ ମହୀଶୂର ପାକ୍‌କୁ ନେଇ ବିବାଦ

ମହୀଶୂର ପାକ୍‌ କାହାର ତାମିଲନାଡ଼ୁର ନା କର୍ଣ୍ଣାଟକର!

ଚେନ୍ନାଇ: ରସଗୋଲାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଓ ଚର୍ଚ୍ଚା ଥମି ନଥିଲା ବେଳେ ଏବେ ମହୀଶୂର ପାକ୍‌କୁ ନେଇ ଆରମ୍ଭ ହୋଇଯାଇଛି ଏକ ନୂତନ ବିବାଦ। ମହୀଶୂର ପାକ୍‌କୁ ନେଇ ଏବେ ଭିଡ଼ାଭିଡ଼ି ହୋଇଛନ୍ତି ଦକ୍ଷିଣ ଭାରତର ଦୁଇ ପ୍ରମୁଖ ରାଜ୍ୟ କର୍ଣ୍ଣାଟକ ଓ ତାମିଲନାଡ଼ୁ।

ଘିଅ, ଚିନି ଏବଂ ବେସନରୁ ପ୍ରସ୍ତୁତ ହେଉଥିବା ଏକ ଶୁଖିଲା ମିଠା ମହୀଶୂର ପାକ୍‌କୁ ନେଇ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ରାଜ୍ୟ। ଏହି ମହୀଶୂର ପାକ୍‌ ମିଠାଟି ସେମାନଙ୍କ ରାଜ୍ୟର ଏବଂ ଏହାର ଜିଆଇ ମାନ୍ୟତା ସେମାନଙ୍କୁ ଦିଆଯାଉ ବୋଲି ଦାବି ଉଠାଇଛନ୍ତି ଉଭୟ କର୍ଣ୍ଣାଟକ ଓ ତାମିଲନାଡ଼ୁ। ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଆରମ୍ଭ ହୋଇଯାଇଛି ତର୍କ ବିତର୍କ।

ଏସଂପର୍କରେ ଯୁକ୍ତି ଦର୍ଶାଇ କର୍ଣ୍ଣାଟକ ପକ୍ଷରୁ କୁହାଯାଇଛି ଯେ ମହୀଶୁର ପାକ୍‌ ନାମ ହିଁ ପ୍ରମାଣିତ କରୁଛି ଯେ ଏହି ମିଠାଟି ଆମ ରାଜ୍ୟର। କାରଣ, ଏହି ମିଠାଟିର ପ୍ରଥମ ପ୍ରସ୍ତୁତି ହିଁ ହୋଇଥିଲା ମହୀଶୂର ରାଜପ୍ରାସାଦର ରୋଷଶାଳାରେ। କୃଷ୍ଣା ରାଜା ଓ୍ଵାଦେୟାର ଚତୁର୍ଥ ମହୀଶୂରର ରାଜା ଥିବାବେଳେ ତାଙ୍କର ମୁଖ୍ୟ ରୋଷେୟା କାକାସୁରା ମାଡ଼ାପ୍ପା ବେସନ, ଚିନି ଆଉ ଘିଅରୁ ଏହି ସ୍ୱାଦିଷ୍ଠ ମିଠାକୁ ପ୍ରସ୍ତୁତ କରି ରାଜାଙ୍କୁ ପରଷି ଥିଲେ। ରାଜା ଯେତେବେଳେ ତାଙ୍କୁ ଏହି ମିଠାର ନାମକରଣ କରିବାକୁ କହିଲେ, ସେତେବେଳେ ସେ ଏହାର ନାମକରଣ କରିଥିଲେ ମହୀଶୂର ପାକ୍‌। ତେଣୁ, ମହୀଶୂର ପାକ୍‌ ମିଠାଟି କର୍ଣ୍ଣାଟକର। ଏଥିରେ କୌଣସି ଦ୍ୱିରୁକ୍ତି ନାହିଁ।

ଅପରପକ୍ଷେ, ମହୀଶୂର ପାକ୍‌କୁ ନେଇ ତାମିଲନାଡ଼ୁ ଉପସ୍ଥାପିତ କରିଛି ତଥ୍ୟ ଭିତ୍ତିକ ଅନ୍ୟ ଏକ ଭିନ୍ନ ଯୁକ୍ତି। ତାମିଲନାଡ଼ୁ, କହୁଛି ୧୮୩୫ରେ ବ୍ରିଟିଶ୍‌ ପାର୍ଲିଆମେଣ୍ଟରେ ଏହି ମହୀଶୂର ପାକ୍‌ ମିଠା ସଂପର୍କରେ ଉଲ୍ଲେଖ କରିଥିଲେ ଲର୍ଡ ମାକ୍ୟୁଲେ। ସେ କହିଥିଲେ, ‘ବାଙ୍ଗାଲୋରରେ ଥିବା ମୋର ଜଣେ ଘନିଷ୍ଠ ବନ୍ଧୁ ମୋତେ କହିଥିଲେ ଯେ ମହୀଶୂର ପାକ୍‌ ମିଠାଟି ମାଡ୍ରାସର ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ସେମାନେ ଦୀର୍ଘ ବର୍ଷ ଧରି ଏହି ମିଠାକୁ ପ୍ରସ୍ତୁତ କରି ଆସୁଥିଲେ। ତେବେ ୭୪ ବର୍ଷ ପୂର୍ବେ ମହୀଶୂରର ଜଣେ ଓକିଲ ଏହି ମିଠାର ପ୍ରସ୍ତୁତ ପ୍ରଣାଳୀକୁ ଚୋରାଇ ନେଇ ମହୀଶୂର ରାଜାଙ୍କୁ ଦେଇ ଦେଇଥିଲେ। ପରବର୍ତ୍ତୀ ସମୟରେ ମହୀଶୂର ରାଜା ଏହାକୁ ମହୀଶୂର ପାକ୍‌ ନାମରେ ନାମକରଣ କରିଥିଲେ।’ ବ୍ରିଟିଶ ପାର୍ଲିଆମେଣ୍ଟରେ ୧୮୩୫ ଫେବ୍ରୁଆରି ୨ ତାରିଖରେ ଏକ ଉଦବୋଧନ ଦେବା ଅବସରରେ ଏହି ତଥ୍ୟର ଅବତାରଣା କରିଥିଲେ ଲର୍ଡ ମାକ୍ୟୁଲେ।

ହେଲେ, ମହୀଶୂର ପାକ୍‌ କାହାର ତାମିଲନାଡ଼ୁର ନା କର୍ଣ୍ଣାଟକର ତାକୁ ନେଇ ଏବେ ଯୋରଦାର ଆଲୋଚନା ଚାଲିଛି ସୋସିଆଲ ମିଡିଆ ଟୁଇଟର୍‌ ପୃଷ୍ଠାରେ।

 

ସମ୍ବନ୍ଧିତ ଖବର